ନରଣପୁର, ୨୩/୫ : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟ କାଳୀନଝର ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର। ମୃତକ ଜଣଙ୍କ ହେଉଛନ୍ତି ଆଦିତ୍ୟ ମହାନ୍ତ ଓରଫ କାହ୍ନା (୨୧ବର୍ଷ)। ସେ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ମାଇନିଙ୍ଗ ବିଭାଗରେ ପାଠ ପଢୁଥିଲେ। ଅଗ୍ନିଶମ ବାହିନୀ କାହ୍ନାଙ୍କ ଶୁବ ନଦୀରୁ ଉଦ୍ଧାର କରିଛି। 

ସୂଚନାନୁଯାୟୀ, କାହ୍ନା ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିବା ବେଳେ ନଦୀକୁ ଗାଧୋଇ ଯିବା ପାଇଁ ସମସ୍ତେ କଥା ହୋଇ ଯାଇଥିଲେ। ନଦୀରେ ଗାଧୋଇବା ପାଇଁ ପାଣିକୁ ଓହ୍ଲାଇବା ମାତ୍ରେ ସେ ଗଣ୍ଡ ଜଳରେ ପଡି ଯାଇଥିଲେ। ପହଁରା ଜାଣି ନଥିବାରୁ ସେହିଠାରେ ସେ ବୁଡି ଯାଇଥିଲେ। ସାଙ୍ଗମାନେ ମଧ୍ୟ ପହଁରା ଜାଣି ନଥିବାରୁ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ତୁରନ୍ତ ସେମାନେ କାହ୍ନାର ଘର ଲୋକଙ୍କୁ ଓ ଅନ୍ୟ ସାଙ୍ଗମାନଙ୍କୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ମୃତଦେହ ଖୋଜି ବାହାର କରିଥିଲା। ଖବର ପାଇ କେନ୍ଦୁଝର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସଦର ତହସିଲଦାର ଶୁଭେନ୍ଦୁ ସାହୁ ଘଟଣା ସମ୍ପର୍କରେ ଶୁଣି ସେଠାରେ ପହଞ୍ଚିଥିଲେ। କାହ୍ନାର ବାପା ଜଗବନ୍ଧୁ ମହାନ୍ତ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା। କାହ୍ନାର ଘର ମାଗୁର ଗଡ଼ିଆରେ ହୋଇଥିବା ବେଳେ ସେ ବାପା ମାଆଙ୍କର ଏକ ମାତ୍ର ପୁତ୍ର ଥିଲା। କାହ୍ନାଙ୍କ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରଜୁ କରାଯାଇ ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀ ଅମିତ  ଭୂୟାଁ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁCaste Discrimination : ଉମରକୋଟ ସବ୍‌ଟ୍ରେଜେରୀ ଅଫିସ୍‌ରେ ଆକାଉଣ୍ଟାଣ୍ଟ୍‌ଙ୍କୁ ନିର୍ଯାତନା, ଫାଇଲ୍‌ ଛୁଇଁବା ମନା, ଆକ୍ୱାଗାର୍ଡ ପାଣି ବାରଣ