ନୂଆଦିଲ୍ଲୀ,୨୮/୦୭: ଜୋରଦାର ଲଢେଇ । କେହି କାହାକୁ କମ୍ ନଥିଲେ । ଗୋଲ୍ ପରିଶୋଧ କରିବାକୁ ଜବରଦସ୍ତ ଟକ୍କର । ଶେଷରେ ମ୍ୟାଚ ଡ୍ର ହେବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବାଜି ମାରି ନେଇଛି ଇଂଲଣ୍ଡ । ବେସଲ୍‌ରେ ଅନୁଷ୍ଠିତ ୟୁରୋ ମହିଳା ଫୁଟବଲ ୨୦୨୫ ଫାଇନାଲରେ ବିଜୟୀ ହୋଇଛି ଇଂଲଣ୍ଡ । ୧-୧ରେ ମ୍ୟାଚ ଡ୍ର ହେବା ପରେ ବିଶ୍ୱ ଚାମ୍ପିଅନ୍‌ ସ୍ପେନ୍‌କୁ ସୁଟ୍‌ଆଉଟ୍‌ରେ ଚାମ୍ପିଅନ୍ ହୋଇଛି ଇଂଲଣ୍ଡ । ତୃତୀୟ ଥର ପାଇଁ ଟ୍ରଫି ନିଜ ନାମରେ କରିଛି ଦଳ । ସ୍ପେନ୍‌ଠୁ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଇଂଲିଶ ଦଳ । ୨୦୨୩ ବିଶ୍ୱକପ ଫାଇନାଲରେ ପରାସ୍ତ ହୋଇଥିଲା ଇଂଲଣ୍ଡ ।

ବେସଲ୍‌ରେ ଖେଳାଯାଇଥିବା ୟୁରୋ ଫାଇନାଲରେ ମହିଳା ଇଂଲଣ୍ଡ ଫୁଟବଲ ଦଳ ସ୍ପେନ୍‌ରୁ ହରାଇ ଟ୍ରଫି ନିଜ ନାମରେ କରିଛି । ପ୍ରଥମ ହାଫ୍‌ରେ ସ୍ପେନ୍‌ର ମାରିୟୋନା କାଲଣ୍ଡେଟେ ଗୋଲ କରି ଆଗୁଆ ଥିଲେ । ମାତ୍ର ୫୭ତମ ମିନିଟ୍‌ରେ କ୍ଲୋଏ କେଲି ଗୋଲ୍ ପରିଶୋଧ କରି ବରାବର ସ୍ଥିତି କରିଥିଲେ । ମ୍ୟାଚ ଡ୍ର ହେବା ପରେ ପେନାଲ୍ଟି ସୁଟ୍ଆଉଟ୍‌କୁ ଯାଇଥିଲା । ଇଂଲଣ୍ଡ ଗୋଲ୍‌କିପର ହତ୍ରା ହେମ୍ପଟନ୍ ଦୁଇଟି ମୂଲ୍ୟବାନ୍ ଗୋଲ ବଞ୍ଚାଇଥିଲେ । ସ୍ପେନ୍‌ର ୩ଟି ପେନାଲ୍ଟି  ବାହାରକୁ ଚାଲିଯାଇଥିଲା । ପେନାଲ୍ଟିରେ ବି ଚମକିଥିଲେ କ୍ଲୋଏ କେଲି । ପେନାଲ୍ଟି ଗୋଲ୍ କରି ଇଂଲଣ୍ଡକୁ ବିଜୟୀ କରାଇଥିଲେ । ଲାରେନ୍ ଜେମ୍ସ ଆହତ ହେବା ପରେ ଖେଳିବାକୁ ମୈଦାନକୁ ଆସିଥିଲେ ହେଲେ ପ୍ରଦର୍ଶନ ଭଲ ନଥିଲା । ପ୍ରଥମ ହାପ୍‌ରୁ ବାହାରିଥିଲେ । ତାଙ୍କ ସ୍ଥାନରେ କ୍ଲୋଏ କେଲି ପୁଣି ଥରେ ସୁପର ସବ୍  ଭୂମିକା ତୁଲାଇ ଟିମ୍‌କୁ ବାରବର ସ୍ଥିତିକୁ ଆଣିଥିଲେ । ଶେଷରେ ପେନାଲ୍ଟିରେ ବି ବିଜୟୀ କରାଇଥିଲେ ।

କେବେ ପରାସ୍ତ ହୋଇନାହିଁ; ଫ୍ରାନ୍ସ ବିପକ୍ଷରେ ପ୍ରଥମ ପରାଜୟ ପରେ, ଇଂଲଣ୍ଡକୁ କ୍ୱାର୍ଟର ଏବଂ ସେମିଫାଇନାଲରେ ସ୍ୱିଡେନ ଏବଂ ଇଟାଲୀ ବିପକ୍ଷରେ କମବ୍ୟାକ୍‌ କରିବାକୁ ପଡିଥିଲା। ଦଳ ତିନୋଟି ନକଆଉଟ୍ ମ୍ୟାଚ୍‌ରେ କେବଳ ୪ ମିନିଟ୍ ଏବଂ ୫୨ ସେକେଣ୍ଡ ପାଇଁ ଆଗୁଆ ଥିଲେ ।