ପାନିପତ, ୧୭/୦୩ : ଗର୍ଲଫ୍ରେଣ୍ଡକୁ ରଙ୍ଗ ଲଗେଇଲା ବୋଲି ରାଗିଗଲା ଯୁବକ। ରକ୍ତମୁଖା ପାଲଟିଲା ପ୍ରେମିକ ପ୍ରବର। ସାଙ୍ଗକୁ ରେଳ ଧାରଣାରେ ବାନ୍ଧି ହତ୍ୟା କଲା ନୃଶଂସ। ହରିୟାଣାର ପାନିପତ ରେଳ ଧାରଣାରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ। ତଦନ୍ତରୁ ଭୟଙ୍କର ହତ୍ୟା ଷଡ଼ଯନ୍ତ୍ରର ଖୁଲାସା। ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ।
ସୂଚନାନୁଯାୟୀ, ହୋଲି ଦିନ ହରିୟାଣାର ପାନିପତ ଅଞ୍ଚଳର ୨୩ ବର୍ଷୀୟ କାଳୁ ତାଙ୍କ ବନ୍ଧୁ ସଞ୍ଜୁ ସହ ହୋଲି ଖେଳୁଥିଲେ। ଏହି ସମୟରେ କାଳୁ ସଞ୍ଜୁର ପ୍ରେମିକାଙ୍କୁ ରଙ୍ଗ ଲଗାଇ ଦେଇଥିଲେ। ଏଥିରେ ସଞ୍ଜୁ ଉତ୍ୟକ୍ତ ହୋଇଯାଇଥିଲା। କାଳୁକୁ ରାସ୍ତାରୁ ହଟେଇବା ପାଇଁ ଯୋଜନା କରିଥିଲା। ଦିନେ ସନ୍ଧ୍ୟାରେ କାଳୁଙ୍କୁ ସଞ୍ଜୁ ନିଜ ଘରକୁ ଡାକି ଆଣିଥିଲା। ସେଠାରେ ଆଉ ୩ ଜଣ ଅଭିଯୁକ୍ତ ମିଶି ମଦ ପିଇଥିଲେ। ଅନୟମାନେ ଅଳ୍ପ ମଦ ପିଇ କାଳୁକୁ ଅଧିକ ପିଆଇ ଦେଇଥିଲେ। ଏହାପରେ କାଳୁକୁ ନିକଟସ୍ଥ ରେଳ ଧାରଣାକୁ ଟେକି ନେଇଥିଲେ। ସଞ୍ଜୁ ଏକ ପେଚକସ ସାହାଯ୍ୟରେ କାଳୁଙ୍କ ବେକକୁ ଚୋଟ ମାରିଥିଲା। ଏହାପରେ ତାଙ୍କୁ ରେଳ ଧାରଣାରେ ବାନ୍ଧି ଚାଲି ଯାଇଥିଲେ। ମଦ ନିଶାରେ ଥିବାରୁ କାଳୁ ନିଜକୁ ବଞ୍ଚାଇ ପାରି ନଥିଲେ। ଟ୍ରେନ୍ ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଜିଆରପି ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସଞ୍ଜୁ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜୁ ବୋଲି କୁହାଯାଉଛି। ପୂର୍ବରୁ କାଳୁ ଏବଂ ସଞ୍ଜୁଙ୍କ ମଧ୍ୟରେ ତିକ୍ତତା ଥିଲା। ଏକ ମୋଟରସାଇକେଲ୍ ଦୁର୍ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ହୋଇଥିଲା।
ଏହି ଖବରଟିକୁ ପଢନ୍ତୁ- ଡ୍ରଗ୍ସ ନେବା ବେଳେ ଧରା ପଡିଲେ ସାଂସଦ ଓ ପୂର୍ବତନ ବିଧାୟକ, ଚଢାଉ ବେଳେ ପୋଲିସ ଉପରକୁ କଲେ ଗୁଳିମାଡ଼