ନୂଆଦିଲ୍ଲୀ, ୯/୧୦ : ରାଜକୀୟ ଥାଟବାଟ... ୧୫ ରାଣୀଙ୍କ ସହ ବିଳାସପୂର୍ଣ୍ଣ ଜୀବନ। ଆଗରେ ପଛରେ ୧୦୦ ଚାକର ବାକର। ବିରାଟ ପଟୁଆର ଧରି ୟୁଏଇର ଅବୁଧାବି ଏୟାରପୋର୍ଟରେ ଓହ୍ଲାଇ ପଡ଼ିଲେ ଆଫ୍ରିକୀୟ ରାଜା। ଦେଖିବାକୁ ବିମାନବନ୍ଦରରେ ଜମିଲା ଭୟଙ୍କର ଭିଡ଼ । ତିନୋଟି ଟର୍ମିନାଲ୍ ବନ୍ଦ କରିବାକୁ ବାଧ୍ୟ ହେଲେ ଏୟାରପୋର୍ଟ କର୍ତ୍ତୃପକ୍ଷ। ସେ ଏମିତି ଜଣେ ଦେଶର ରାଜା, ଭୋକ ବିକଳରେ ଆଉଟୁ ପାଉଟୁ ହେଉଛନ୍ତି ତାଙ୍କର ପ୍ରଜା। ତେବେ କିଏ ଏହି ୧୫ ରାଣୀଙ୍କ ରାଜା ? ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଏବେ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଛନ୍ତି ଆଫ୍ରିକା ମହାଦେଶ ଇସ୍ଵାତିନି ଦେଶର ରାଜା ମସ୍ବାତୀ-୩। ନିକଟରେ ମସ୍ବାତୀ କିଛି ବୁଝାମଣା ପାଇଁ ତାଙ୍କ ପରିବାର ସହ ୟୁଏଇର ପହଞ୍ଚିଥିଲେ। ଏକ ପ୍ରାଇଭେଟ୍ ଜେଟ୍‌ରେ ବିରାଟ ପଟୁଆର ଧରି ଅବୁଧାବି ବିମାନବନ୍ଦରରେ ଓହ୍ଲାଇଥିଲେ। ଏୟାରପୋର୍ଟରେ ରାଜାଙ୍କ ସହ ୧୫ ରାଣୀ, ୩୦ ଜଣ ସନ୍ତାନ ଓ ୧୦୦ ଜଣ ଚାକର ବାକର ଆସିଥିଲେ। ବିମାନବନ୍ଦରରେ ରାଜାଙ୍କର ୧୫୦ ଲୋକଙ୍କ ପଟୁଆର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିମାନବନ୍ଦରରେ ଚ୍ୟାଲେଞ୍ଜିଂ ସ୍ଥିତି ଉପୁଜିଥିଲା। ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ କର୍ତ୍ତୃପକ୍ଷ ୩ଟି ଟର୍ମିନାଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ମସ୍ଵାତୀଙ୍କ ୟୁଏଇ ଗସ୍ତ ବେଳର ଭିଡିଓ ଏବେ ଇଣ୍ଟରନେଟ୍ ଦୁନିଆରେ ଛାଇ ଯାଇଛି। କିଛି ୟୁଜର ମସ୍ଵାତୀଙ୍କ ଲାଇଫ୍‌ଷ୍ଟାଇଲ୍ ଦେଖି ତାଙ୍କୁ ସମାଲୋଚନା କରୁଛନ୍ତି। 

ଆଫ୍ରିକାର ଶେଷ ରାଜବଂଶ ଥିବା ଦେଶ ଇସ୍ଵାତିନି। ଏଠାକାର ଜନସଂଖ୍ୟା ପ୍ରାୟ ୧୧ ଲକ୍ଷ। ଇସ୍ଵାତିନିର ପୂର୍ବ ନାମ ସ୍ଵାଜିଲ୍ୟାଣ୍ଡ ଥିଲା। ପରବର୍ତ୍ତୀ ସମୟରେ ଦେଶର ନାମ ପରିବର୍ତ୍ତନ କରାଯାଇ ଇସ୍ଵାତିନି ରଖାଗଲା। ୧୯୮୬ ମସିହାରେ ମସ୍ଵାତୀ-୩ ଇସ୍ଵାତିନି ଦେଶର ରାଜା ହୋଇଥିଲେ। ୪୦ ବର୍ଷ ହେଲା ସେ ଶାସନଭାର ତୁଲାଉଛନ୍ତି। ଇସ୍ଵାତିନି ଏବେ ଭୟଙ୍କର ଏଡ୍‌ସ୍ ସଂକ୍ରମଣ ଓ ଗରିବିରେ ଯୁଝୁଛି।  ହେଲେ ରାଜା ମସ୍ଵାତୀ ତାଙ୍କ ବିଳାସପୂର୍ଣ୍ଣ ଜୀବନରେ ମସଗୁଲ ଅଛନ୍ତି। ତାଙ୍କ ପାଖରେ ୧ ଅରବ ଡଲାରର ସମ୍ପତ୍ତି ରହିଛି। ମସ୍ଵାତୀଙ୍କର ବହୁ ଆଲିସାନ୍ ବଙ୍ଗଳା, ଲକଜୁରୀ କାର୍, ପ୍ରାଇଭେଟ୍ ଜେଟ୍ ମଧ୍ୟ ରହିଛି। ସେ ୧୫ ଜଣ ରାଣୀଙ୍କୁ ବିବାହ କରିଛନ୍ତି। ପ୍ରତିବର୍ଷ ରିଡ ଡ୍ୟାନ୍ସ ସମାରୋହରେ ମସ୍ଵାତୀ ତାଙ୍କ ରାଣୀ ବାଛନ୍ତି। ଏହା ଏଠାକାର ଏକ ପାରମ୍ପରିକ ପ୍ରଥା। ମସ୍ଵାତୀଙ୍କ ପିତା ୧୨୫ ଜଣ ରାଣୀଙ୍କୁ ବିବାହ କରିଥିଲେ।    

ଇସ୍ଵାତିନିର ଚାରିପଟେ ଦକ୍ଷିଣ ଆଫ୍ରିକା ଘେରି ରହିଛି। ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୁଲୁ ରାଜଶାହି ଓ ଇସ୍ଵାତିନି ଭିତରେ ପାରମ୍ପରିକ ସମ୍ବନ୍ଧ ରହିଛି। ମସ୍ଵାତୀଙ୍କ ଜଣେ ରାଣୀ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜୈକବ ଜୁମାଙ୍କ ଝିଅ। ଗତ ବର୍ଷ ମସ୍ଵାତୀ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିବାହ କରିଥିଲେ।