ନୂଆଦିଲ୍ଲୀ,୨୫/୦୩: ରନ୍ଧନ ଗ୍ୟାସର ବିକଳ୍ପ ହେବ ଇଥାନଲ । ଏବେ ଏଲ୍ପିଜି ଉପରେ ନିର୍ଭରତା କମ୍ କରିବା ପାଇଁ ଇଥାନଲ୍ର ବ୍ୟବହାର ପାଇଁ ପ୍ରସ୍ତୁତି ଚାଲିଛି । ସରକାର ଏଥାନଲ-ଭିତ୍ତିକ ଷ୍ଟୋଭ୍ ବା ଚୁଲା ନିର୍ମାଣ ଉପରେ କାର୍ଯ୍ୟ କରୁଛନ୍ତି । ମଙ୍ଗଳବାର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ସଚିବ ସଞ୍ଜୀବ ଚୋପ୍ରା ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ସୂଚନା ଦେଇଛନ୍ତି । ଚୋପ୍ରା କହିଲେ ଯେ, ଇଥାନଲ କେବଳ ଗାଡ଼ି ପାଇଁ ନୁହେଁ ବରଂ ଏବେ ଘରଗୁଡ଼ିକରେ ରନ୍ଧନ ପାଇଁ ବି ଏକ ସୁରକ୍ଷିତ ଏବଂ ଶସ୍ତା ବିକଳ୍ପ ହୋଇପାରେ । ଚୋପ୍ରା କହିଲେ ଯେ, ନିକଟରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ କାରଣରୁ ଭାରତରେ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି । ହୋର୍ମୁଜ ଜଳପଥ ବନ୍ଦ ହେବା ଫଳରେ ମଧ୍ୟପ୍ରାଚ୍ୟରୁ ଗ୍ୟାସ ଆମଦାନି ବ୍ୟାହତ ହୋଇଛି । ଫଳରେ ତୃଣମୂଳ ସ୍ତରରେ ଏଲ୍ପିଜି ଅଭାବ ସ୍ଥିତି ଉପୁଯିଛି ।

ଦର ବି ବଢ଼ିଛି । ଏହି ସଂକଟକୁ ଦୃଷ୍ଟିରେ ରଖି ସରକାର ଏବେ ଘରୋଇ ସ୍ତରରେ ପ୍ରସ୍ତୁତ ଏଥାନଲକୁ ରନ୍ଧନ ଇନ୍ଧନ ଭାବେ ପ୍ରୋତ୍ସାହନ ଦେଉଛନ୍ତି । ଖାଦ୍ୟ ଏବଂ ସାଧାରଣ ବଣ୍ଟନ ସଚିବ ଆହୁରି କହିଲେ ଯେ, ଇଥାନଲଭିତ୍ତିକ ଚୁଲାର କିଛି ପ୍ରାରମ୍ଭିକ ମଡେଲ ପ୍ରସ୍ତୁତ କରାଯାଇସରିଛି । ତେବେ ଏହି ପ୍ରକଳ୍ପ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ସେ ସୂଚନା ଦେଇଛନ୍ତି । ଚୋପ୍ରା କହିଲେ ଯେ, ଯଦି ଏହାକୁ ବଡ଼ ଆକାରରେ ଲାଗୁ କରାଯାଏ ତେବେ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଏହା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ ଏବଂ ଏହାର ଉପଲବ୍ଧତା ବଜାୟ ରହିବ । ଇଥାନଲ ଚୁଲାରେ ତରଳ ଇଥାନଲର ବ୍ୟବହାର ହୋଇଥାଏ । ଏହା ଏଲ୍ପିଜି ତୁଳନାରେ କମ୍ ପ୍ରଦୁଷଣ କରିଥାଏ ଏବଂ ଏହାକୁ ମହଜୁଦ କରିବା ମଧ୍ୟ ସହଜ । ଏଥାନଲ ଅତ୍ୟଧିକ ଜ୍ୱଳନଶୀଳ । ଏଥିପାଇଁ ଏହାର ଚୁଲାରେ ସ୍ୱତନ୍ତ୍ର ପ୍ରକାର ସୁରକ୍ଷା ବଲ୍ବ ଏବଂ ବର୍ଣ୍ଣର ଡିଜାଇନ କରାଯାଉଛି ।

ଆହୁରି ପଢନ୍ତୁ-ଗରମ ପୂର୍ବରୁ ଗ୍ରାହକଙ୍କୁ ଶକ୍ତ ଝଟକା ! ଆକାଶଛୁଆଁ ହେବ ଏସି ଦାମ୍, ମଧ୍ୟପ୍ରାଚ୍ୟ ଯୁଦ୍ଧ ବଢ଼ାଇଲା ଚିନ୍ତା

ସରକାର ଏହାର ଯୋଗାଣ ଶୃଙ୍ଖଳକୁ ପରଖିବା ପାଇଁ ଏକ ପ୍ରୟୋଗ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଦେଶର ଏଥାନଲ ଉତ୍ପାଦନ ପ୍ଲାଣ୍ଟରେ ହିଁ ଇଥାନଲ କୁକିଂର ପରୀକ୍ଷଣ କରାଯିବ । ଦେଶରେ ଇଥାନଲ କାର୍ଯ୍ୟକ୍ରମକୁ ନେଇ ଚୋପ୍ରା କହିଲେ, ଯୋଗାଣ ମାମଲାରେ ଆମେ ଭଲ ଅଗ୍ରଗତି କରିଛୁ । ଏଯାବତ୍ ୩୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରାଯାଇଛି । ଯୋଗାଣରେ କୌଣସି ପ୍ରକାର ଅଭାବ ନାହିଁ । ତେଣୁ ଚାହିଦା ବଢ଼ାଇବା ଉପରେ ସରକାର ଦୃଷ୍ଟି ଦେଉଛନ୍ତି । ସେ କହିଲେ ଯେ, ସରକାର ଡିଜେଲ ସହିତ ଇଥାନଲ ମିଶ୍ରଣ ଏବଂ ଟେକ୍ଷ୍ଟାଇଲ ବାଇ-ପ୍ରଡକ୍ଟ ଭଳି ବିକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ସରକାର ପିଡିଏସ୍ ଜରିଆରେ ଦିଆଯାଉଥିବା ଚାଉଳର ମାନରେ ସୁଧାର ଆଣୁଛନ୍ତି । ୫ ରାଜ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯାଇଛି, ଯାହାଦ୍ୱାରା କଳରୁ ବାହାରୁଥିବା ଚାଉଳ ମଧ୍ୟରେ ଭଙ୍ଗା ଚାଉଳର ମାତ୍ରା ୨୫% ରୁ କମି ୧୦% ହୋଇଛି । ଏହାଦ୍ୱାରା ରାସନ୍କାର୍ଡଧାରୀଙ୍କୁ ଭଲ ଚାଉଳ ମିଳିବ । ଏହି ପ୍ରକ୍ରିୟା ଜରିଆରେ ଯେଉଁ ଅତିରିକ୍ତ ଭଙ୍ଗା ଚାଉଳ ମିଳିବ ତାହାକୁ ଇଥାନଲ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ଯୋଗାଇ ଦିଆଯିବ ।