ଭୁବନେଶ୍ୱର,୩୦/୦୫: ଆଜି ଚୁନୁକୋଳି ଗାଁର ୨୦୦ ଘର ଭଙ୍ଗାଯିବ । ବାମପାର୍ଶ୍ବର ସମାନ୍ତରାଳ ରାସ୍ତାର ବାକି ଥିବା ଅଂଶକୁ ସାରିବାକୁ ଉଚ୍ଛେଦ ହେବ । ସରକାରୀ ଜାଗାରେ ଥିବା ନିର୍ମାଣକୁ ହଟାଇ ରାସ୍ତା ଫିଟାଇବାକୁ ପୂର୍ତ୍ତ ବିଭାଗ ଓ ବିଏମ୍ସି ଯୋଜନା କରିଛନ୍ତି । ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବୁଦ୍ଧବିହାର ଆବାସକୁ ସ୍ଥାନାନ୍ତରିତ କରାଯିବ।
ଏଥିପାଇଁ ଶୁକ୍ରବାର ଗାଁର ଅନେକ ଲୋକଙ୍କୁ ବୁଝାସୁଝା କରି ଆବଣ୍ଟନପତ୍ର ଦିଆଯାଇଛି । ଆଉ କିଛି ଲୋକଙ୍କୁ ଶନିବାର ବଣ୍ଟାଯିବ । ଲୋକଙ୍କ ଜିନିଷପତ୍ର ସ୍ଥାନାନ୍ତର ପାଇଁ ବିଏମ୍ସି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଲୋକଙ୍କୁ ସ୍ଥାନାନ୍ତର ପରେ ସରକାରୀ ଜାଗାରେ ଥିବା ସବୁ ଘର ଭାଙ୍ଗିବାକୁ ଯୋଜନା ହୋଇଛି । ସମାନ୍ତରାଳ ରାସ୍ତାରେ ଓଇଆର୍ସି ଛକରୁ ଚନ୍ଦକା ଆଡ଼କୁ ଯାଇଥିବା ରାସ୍ତା ଚୁନୁକୋଳି ପାଖରେ ଅଟକି ଯାଇଥିଲା । ଗାଁ ଭିତରେ ମାତ୍ର ୧କିମି ରାସ୍ତା କାମ ବାକି ଥିଲା । ଦୀର୍ଘ ଦିନକୁ ଏହି କାମ ଅଟକି ରହିଛି । ଗାଁ ଲୋକଙ୍କ ବିରୋଧ ପାଇଁ କାମ ଆଗକୁ ବଢୁନଥିଲା ।
ସରକାରୀ ଜାଗାରେ ଥିବା ୨୦୦ ଘର ଓ ୬ଟି ଘରୋଇ ପ୍ଲଟ୍ ପାଇଁ କାମ ଅଟକିଥିଲା । ନକ୍ସା ବଦଳାଇ ରାସ୍ତା ନେବାକୁ ଗାଁ ଲୋକେ ଦାବି କରି ଆସୁଥିଲେ । କିନ୍ତୁ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହି ଡିଜାଇନ୍ ମୁତାବକ ରାସ୍ତା ନେବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୨୦୦ ଘର ଭଙ୍ଗାଯିବା ସହ ଆଗକୁ ଘରୋଇ ଜମିକୁ ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ :- Encounter: ଝାରସୁଗୁଡ଼ାରେ ଗର୍ଜିଲା ପୁଲିସ ବନ୍ଧୁକ, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍କାଉଣ୍ଟର, ଡକାୟତି ଯୋଜନା ବେଳେ ଗୁଳିମାଡ଼