ଝାରସୁଗୁଡ଼ା,୩୧/୦୮: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦରେ ଆର୍ଥିକ ଅନିୟମିତତା ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ (ଇଓ) ମଧୁସ୍ମିତା ସିଂ ନିଲମ୍ବିତ ହୋଇଛନ୍ତି । ଶନିବାର ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ନିଲମ୍ବନ ବଳବତ୍ତର ଥିବା ଯାଏ ଶ୍ରୀମତୀ ସିଂ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟ କରିବେ । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅନୁମତି ବିନା ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଯାଇ ପାରିବେ ନାହିଁ । ସମ୍ପ୍ରତି ଶ୍ରୀମତୀ ସିଂ ମୟୂରଭଞ୍ଜ ଜିଲ୍ଲା ଜାମଦା ତହସିଲଦାର  ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀମତୀ ସିଂଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି । 

ପ୍ରକାଶଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ବେଲପାହାଡ଼ ପୌର  ପରିଷଦରେ ଶ୍ରୀମତୀ ସିଂ ନିର୍ବାହୀ ଅଧିକାରୀ ଥିବା ସମୟରେ ଉନ୍ନୟନ  କାର୍ଯ୍ୟରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିଲା । ଏବେକାର  ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଖୋଳତାଡ଼  ବେଳେ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିଲା । ବେଲପାହାଡ଼  ଥାନାରେ ନିର୍ବାହୀ ଅଧିକାରୀ ୨ ଜଣ ପୌର କର୍ମଚାରୀଙ୍କ ନାମରେ ଏତଲା  ଦେଇଥିଲେ । ମାମଲାରେ ଆକାଉଣ୍ଟାଣ୍ଟ ବିଭୂତି ସାହୁଙ୍କୁ ଗିରଫ ହୋଇଥିବା  ବେଳେ ଅନ୍ୟ ଜଣେ କର୍ମଚାରୀ ସାନିଟାରି ଏକ୍ସପର୍ଟ ଫେରାର ରହିଛନ୍ତି।