ଝାରସୁଗୁଡ଼ା ୨୨/୩: ଆଉ ପାଦେ ଆଗେଇଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ। ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କର ଚାଲିଛି ବୟାନ ରେକର୍ଡ । ସରୋଜ କୁମାର ସାଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।  

ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଅଞ୍ଚଳରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗର ଥାନାରେ ପହଞ୍ଚି ଖୋଳତାଡ କରୁଛି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକ ସରୋଜ କୁମାର ସାଙ୍କର ବୟାନ ରେକର୍ଡ କରିଛି । 

କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ବିମାନବନ୍ଦର ନିର୍ଦ୍ଦେଶକ, ମୁଖ୍ୟ ସୁରକ୍ଷା ଅଧିକାରୀ,  ଟର୍ମିନାଲ ମ୍ୟାନେଜରଙ୍କ ବୟାନ ରେକର୍ଡ କରିଥିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ । ୨୦୨୩  ଜାନୁଆରୀ ୨୯ରେ ନବ ଦାସଙ୍କୁ ଗୁଳି କରାଯିବା ପରେ ଗାନ୍ଧିଛକସ୍ଥିତ ହତ୍ୟାକାଣ୍ଡସ୍ଥଳରୁ ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଦର୍ଶାଇ  ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଏହି ସମୟରେ ବିମାନବନ୍ଦରର ଯେଉଁ ଅଧିକାରୀମାନେ ଉପସ୍ଥିତ ଥିଲେ   ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଛି ।  ଏୟାର୍‌ ଆମ୍ବୁଲାନ୍ସର ଝାରସୁଗୁଡ଼ା ବିମାନବନ୍ଦରଠାରେ ଲ୍ୟାଣ୍ଡିଂ, ଡିପାରଚର୍‌ ସମୟର ସୂଚନା ସହ କର୍ମଚାରୀଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । 

ଉଲ୍ଲେଖଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍‌ କୋର୍ଟରେ ଚାର୍ଜସିଟ୍‌  ଦାଖଲ କରି ସାରିଛି । ସାନି ତଦନ୍ତ ଆରମ୍ଭ ପରେ ଏବେ ଅତିରିକ୍ତ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛି ।