ମାଲକାନଗିରି,୦୫/୦୪: ଦେଶରେ ମାଓବାଦୀଙ୍କ ସଙ୍ଗଠନ ଭାଙ୍ଗି ଯିବା ପରେ ବହୁ ଗୁମର ସାମ୍ନାକୁ ଆସୁଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର କୋଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମନୀଷ କୁଞ୍ଜାମ ନକ୍ସଲଙ୍କ ବିଦେଶ ଲିଙ୍କ୍ ସଂପର୍କରେ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନକ୍ସଲଙ୍କର ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ନଥିଲା, ଯାହାର ପ୍ରମାଣ ତାଙ୍କ ନିକଟରେ ରହିଛି। କେବଳ ସେତିକି ନୁହେଁ, ସଂଗଠନ ନିକଟରେ ପ୍ରଚୁର ସୁନା ରହିଥିଲା। ପୁଲିସ ଦ୍ବାରା ଯେଉଁ ସୁନା ଜବତ ହୋଇଛି ତାହା ସ୍ବିଜରଲ୍ୟାଣ୍ଡରୁ ଆସିଥିଲା। ନକ୍ସଲ ଯେଉଁ ଅଞ୍ଚଳରେ ପତିଆରା ଜାହିର କରୁଥିଲେ ସେହି ଅଞ୍ଚଳର ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।

ଏମିତି ପାଣ୍ଠି ସଂଗଠନ କରି ବିଦେଶରୁ ସୁନା ଆଣୁଥିଲେ। ସରକାର ଏହାର ଯାଞ୍ଚ କରିବା ଆବଶ୍ୟକ। ସଂଗଠନ ଜଳ, ଜମି ଏବଂ ଜଙ୍ଗଲର ସୁରକ୍ଷା ଦ୍ବାହି ଦେଇ ଲୋକଙ୍କ ନିକଟରେ ପହଞ୍ଚୁଥିଲା। ବାସ୍ତବରେ ଜଳ, ଜଙ୍ଗଲ ଓ ଜମିକୁ ବଞ୍ଚାଇବା ଆଦୌ ଲକ୍ଷ୍ୟ ନଥିଲା। ଲାଲକିଲ୍ଲାରେ ସଂଗଠନର ଲାଲ ପତାକା ଉଡ଼ାଇବାକୁ ପ୍ରୟାସ କରୁଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ମଧ୍ୟ ମନୀଷ ପ୍ରଶ୍ନ କରିଛନ୍ତି। ବିଭିନ୍ନ ସ୍ଥାନରେ ଖଣି ଖନନକୁ ବିରୋଧ କରି ନକ୍ସଲମାନେ ସେହି ଅଞ୍ଚଳର ନିରୀହ ଗ୍ରାମବାସୀଙ୍କ ଦ୍ବାରା ଆନ୍ଦୋଳନ କରାଉଥିଲେ। ବିରୋଧ ଓ ଆନ୍ଦୋଳନ ସତ୍ତ୍ବେ ରାଜଘାଟ ଏବଂ ଆମଦଇ ଖଣି ଖନନ କିପରି ହେଲା ବୋଲି ସେ ସିଧାସଳଖ ପ୍ରଶ୍ନ କରିଛନ୍ତି।

ଆହୁରି ପଢନ୍ତୁ-ପ୍ରେମିକା ସହ ହୋଟେଲ୍ ରୁମ୍ରେ ଥିବାବେଳେ ଧରାପଡ଼ିଥିଲା ରାଜା, ଚୌଦ୍ୱାରରୁ ଫେରାର୍ ପରେ ମହୀଶୂରରୁ କରିଥିଲା ଲୁଟ୍

ଖଣି ଖନନକୁ ବିରୋଧ କରିବା କେବଳ ନାଟକ ଥିଲା। କାରଣ ଟଙ୍କା ମିଳିଗଲେ ଖଣି ଖନନ ସ୍ବାଭାବିକ ହୋଇଯାଉଥିଲା। ଭିନ୍ନ ଭିନ୍ନ ଏଜେଣ୍ଟଙ୍କଠାରୁ ନକ୍ସଲ ସଂଗଠନଗୁଡ଼ିକ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି। ଯଦି ଟଙ୍କା ଦେବାରେ ବିଳମ୍ବ ହେଉଥିଲା ବା କେହି ଟଙ୍କା ଦେବାକୁ ମନା କରୁଥିଲେ ତେବେ ଅଘଟଣ ଘଟାଇ ଆତଙ୍କ ସୃଷ୍ଟି କରୁଥିଲେ। ଯାହାର ପ୍ରମାଣ ସେ ରଖିଛନ୍ତି। ଆବଶ୍ୟକ ପଡ଼ିଲେ ତଦନ୍ତକାରୀ ସଂସ୍ଥାକୁ ଦେବେ ବୋଲି କହିଛନ୍ତି। ସଂଗଠନ ଉଦ୍ଦେଶ୍ୟ ଓ ଲକ୍ଷ୍ୟଠାରୁ ସଂପୂର୍ଣ୍ଣ ଦୂରେଇ ଯାଇଥିଲା ବୋଲି ମନୀଷ କହିଛନ୍ତି।