ନୂଆଦିଲ୍ଲୀ,୧୭/୧୧; ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଦେଇଛନ୍ତି । ଦେଶରେ ଜୁଲାଇରେ ହୋଇଥିବା ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ନରସଂହାର ମାମଲାରେ ଟ୍ରିବ୍ୟୁନାଲ କୋର୍ଟ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବାକୁ ଉସୁକାଇବାର ଅଭିଯୋଗ ରହିଛି । ଏହା ସହିତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କୋର୍ଟ ନିଷ୍ପତ୍ତି ହସିନାଙ୍କ ସମସ୍ୟାକୁ ବଢ଼ାଇପାରେ। ଶେଖ ହସିନା ବର୍ତ୍ତମାନ ଭାରତରେ ଅଛନ୍ତି । ବାଂଲାଦେଶ ସରକାର ଇଣ୍ଟରପୋଲ ମାଧ୍ୟମରେ ଗିରଫ ପରୱାନା ଜାରି କରିବେ ।
ବାଂଲାଦେଶୀ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହାସିନାଙ୍କ ଏକ ଅଡିଓ ରେକର୍ଡିଂ ମଧ୍ୟ ଜାରି କରିଥିଲେ ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା । ଏହି ଅଡିଓରେ, ହାସିନା ପୁଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବାର ଶୁଣାଯାଉଛି । କୋର୍ଟ ମାନବାଧିକାର କମିଶନଙ୍କ ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛି । କୋର୍ଟ କହିଛନ୍ତି ଜୁଲାଇ ବିଦ୍ରୋହ ସମୟରେ ମୃତ୍ୟୁ ପାଇଁ ଶେଖ ହସିନା ଦାୟୀ ଥିଲେ । ପ୍ରସିକ୍ୟୁସନ ଦ୍ୱାରା ଉପସ୍ଥାପିତ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି କୋର୍ଟ । ଆଇସିଟି ଶେଖ ହସିନାଙ୍କ ବିରୁଦ୍ଧରେ ୪୫୮ ପୃଷ୍ଠାର ଏକ ରାୟ ପ୍ରଦାନ କରିଛନ୍ତି । ରାୟରେ କୁହାଯାଇଛି ଯେ ହାସିନା ଜାନୁଆରୀ ୨୦୨୪ ଠାରୁ ଏକଛତ୍ରବାଦୀ ହେବା ଆଡ଼କୁ ଅଗ୍ରସର ହେଉଥିଲେ । ସେ ନିର୍ବାଚନରେ ବିରୋଧୀଙ୍କୁ ଦମନ କରିଥିଲେ। ପରବର୍ତ୍ତୀ ସମୟରେ, ଯେତେବେଳେ ଛାତ୍ରମାନେ ରାସ୍ତାକୁ ଓହ୍ଲାଇଥିଲେ, ସେ ସେମାନଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
୨୦୨୪ ମସିହା ଜୁଲାଇ ମାସରେ ସରକାରୀ ଚାକିରିରେ ଥିବା କୋଟା ବ୍ୟବସ୍ଥାର ସଂସ୍କାର ଦାବିରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଥିଲା, ଯେଉଁଥିରେ ଶେଖ ହସିନାଙ୍କ ଇସ୍ତଫା ଦାବି କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଜାତିସଂଘର ତଦନ୍ତକାରୀଙ୍କ ଅନୁଯାୟୀ, ଏହି ହିଂସାରେ ପ୍ରାୟ ୧,୪୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ୫ ଅଗଷ୍ଟ ୨୦୨୪ ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତ ପଳାଇଆସିଥିଲେ ।
ଅନ୍ୟପଟେ ଶେଶ୍ ହାସିନାଙ୍କ ବିରୋଧ ରାୟ ଆସିବା ପୂର୍ବରୁ ଦେଶରେ ଉତ୍ତେଜନା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ରାଜନୈତିକ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍ ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହୋଇଛି । ଉତ୍ତେଜନାକୁ ନେଇ ବାଂଲାଦେଶ ହାଇଆଲର୍ଟରେ ରହିଛି । ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଗୁଳି କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ହୋଇଛି ।