ନୂଆଦିଲ୍ଲୀ, ୧୪/୧୨: ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ  ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ  ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ  ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର  ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି ଯେ, ୨୦୧୧ରୁ  ୨୦୨୪ ମଧ୍ୟରେ ପ୍ରାୟ ୨୧ ଲକ୍ଷ ଭାରତୀୟ ବିଦେଶୀ  ନାଗରିକତ୍ୱ ଗ୍ରହଣ କରିଛନ୍ତି । ୨୦୨୧ରୁ ଏହି ସଂଖ୍ୟା ବଡ଼  ଆକାରରେ ବଢ଼ିଥିବା ସେ ପ୍ରକାଶ କରିଛନ୍ତି ।

୨୦୨୦  ମହାମାରୀ ବର୍ଷରେ ଏହି ସଂଖ୍ୟା ୮୫,୦୦୦କୁ ଖସିଥିଲା ।  ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୨୧ରେ ସଂଖ୍ୟା ପାଖାପାଖି  ୨ ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରତିବର୍ଷ ହାରାହାରି ୨ ଲକ୍ଷ  ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡୁଥିବା ରାଜ୍ୟସଭା  ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ତେବେ ସୁରକ୍ଷା ଚିନ୍ତା  କାରଣରୁ ଗତ ୩ ବର୍ଷରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ  ୫,୯୪୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।