ଭୁବନେଶ୍ୱର ୨୪/୧୨ : ଆଳୁ କିଲୋ ୪୦ । ପିଆଜ ମଧ୍ୟ ୪୦ । ଯଦି ଭଲ ସୋରିଷ ତେଲ କିଣିବେ ତେବେ ଲିଟର ପିଛା ୧୮୫ ଟଙ୍କା ପଡିବ । ସବୁଠୁ କମ୍ ଦାମ୍ର ସୋରିଷ ତେଲର ଦାମ୍ ୧୬୫ । ସେହିପରି ଭଲ ହରଡ ଡାଲି ଦର ୧୬୫ । ଆଉ ଗୋଟିଏ ପ୍ରକାର ହରଡ଼ ଡାଲିର ଦାମ୍ ୧୪୦ । ଭଲ ବ୍ରାଣ୍ଡ୍ର ରିଫାଇନ୍(ସୂର୍ଯ୍ୟମୁଖୀ) ତେଲ ଲିଟର ଦର ହେଉଛି ୧୫୫ରୁ ୧୬୦ । ଚିନି କିଲୋ ୪୫ ହେଲାଣି ।
ଏ ଦର ଶୁଣିଲେ ଚମକିପଡୁଛନ୍ତି ଗ୍ରାହକ । କେତେ ପରିମାଣର କିଣିବେ ତାକୁ ନେଇ ହରଡ଼ଘଣାରେ ପଡୁଛନ୍ତି । ଆଳୁ କିଲେ କିଣିଲେ ପିଆଜ ଅଧ କିଲୋ ଆଣିବାକୁ ପଡୁଛି । ସ୍ଥିତି ଏମିତି ଯେ, ଯାହା କିଣିଲେ ବାଧୁଛି । ଏଭଳି ସ୍ଥିତିରେ ୨୦୨୪ ବର୍ଷ ସରିବାକୁ ବସିଲାଣି । ହେଲେ ଖାଇବା ଦ୍ରବ୍ୟର ଦର କମିବାର ନାଁ ଧରୁନି । ସେପଟେ ବ୍ୟବସାୟୀମାନେ ଦରବୃଦ୍ଧି ପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରୁଛନ୍ତି । ବର୍ତ୍ତମାନ ପିକନିକ୍ ଋତୁ ଆରମ୍ଭ ହୋଇଥିବା ବେଳେ ବଣଭୋଜିକୁ ମହଙ୍ଗା ମାଡ଼ ହୋଇଛି । ଦର କମୁନଥିବାରୁ ବଣଭୋଜି କେମିତି ହେବ ତାକୁ ନେଇ ଚିନ୍ତା ଲାଗିରହିଛି ।
ଚଳିତବର୍ଷ ରାଜ୍ୟବାସୀଙ୍କୁ ଅଧିକ କଷ୍ଟ ଦେଇଛି ଦରବୃଦ୍ଧି । ଜୁନ୍ ମାସରୁ ଦରଦାମ୍ ଯନ୍ତ୍ରଣା ଲାଗିରହିଛି । ପ୍ରଥମେ ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ବନ୍ଦ କରିଦେଲେ । ଫଳରେ ଆଳୁ ଦର ହୁହୁ ହୋଇ ବଢ଼ିଗଲା । ତଥାପି ରାଜ୍ୟ ବ୍ୟବସାୟୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଉତ୍ତରପ୍ରଦେଶରୁ ଆଳୁ ଆସିଲା । ଏଥିଯୋଗୁ ଆଳୁ ଦର ନିୟନ୍ତ୍ରଣକୁ ଆସିଥିଲା । ହେଲେ ଗତ ନଭେମ୍ବର ଶେଷ ସପ୍ତାହରେ ପୁଣିଥରେ ବଙ୍ଗ ସରକାରଙ୍କ ମନମାନୀ ଯୋଗୁ ଆଳୁ ଓଡିଶାକୁ ଆସିପାରିନଥିଲା । ଫଳରେ ଗତ ଦେଢ଼ମାସ ହେବ ଆଳୁ ଦର ୪୦ ଉପରେ ରହିଛି ।

ସେହିପରି ସେପ୍ଟେମ୍ବର ମାସରେ ଖାଇବା ତେଲ ମୂଲ୍ୟ ହଠାତ୍ ବଢ଼ିଥିଲା । କେନ୍ଦ୍ର ସରକାର ପାମୋଲିନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁକ୍ଳ ବଢ଼ାଇବାରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଥିଲେ । ୩ମାସ ତଳେ ବଜାରରେ ସୋରିଷ ତେଲ ଲିଟର ପ୍ରତି ୧୧୦ରୁ ୧୨୦ଟଙ୍କା ଥିଲା । ତାହା ଏବେ ୪୦ଟଙ୍କା ବଢ଼ିଯାଇଛି । ସେହିପରି ସାଧାରଣ ରିଫାଇନ୍ ତେଲ ୯୦ରୁ ୧୦୦ ଟଙ୍କା ଥିଲା । ତାହା ମଧ୍ୟ ୩୦ଟଙ୍କା ବୃଦ୍ଧି ପାଇଛି ।
ଏହାରି ମଧ୍ୟରେ କେବଳ ଆଳୁ ଓ ପିଆଜକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି । ପ୍ରଥମେ ସରକାର ଓ ବ୍ୟବସାୟୀ ମହାସଂଘ ଉତ୍ତରପ୍ରଦେଶ ସମେତ ପଶ୍ଚିମବଙ୍ଗରୁ ଲୁଚାଛପାରେ ଆଳୁ ଟ୍ରକ ଆଣୁଥିଲେ । ହେଲେ ଗତ ଦୁଇଦିନ ହେବ ପଞ୍ଜାବରୁ ମଧ୍ୟ ୧୦ଗାଡ଼ି ଆଳୁ ଟ୍ରକ ଓଡିଶା ଆସୁଛି । ଏଥିସହ ୩ ରାଜ୍ୟରୁ ୨ଶହ ଗାଡ଼ି ଆସିବାରୁ ଆଳୁର ପାଇକାରୀ ଦର ଖସିଆସିଛି । ଏବେ ଉତ୍ତରପ୍ରଦେଶ ଓ ପଞ୍ଜାବ ଆଳୁର ପାଇକାରୀ ଦର ୨୩ରୁ ୨୪ଟଙ୍କା ରହିଛି । ବଙ୍ଗ ଆଳୁର ଦାମ୍ ମଧ୍ୟ ୨୮ ଟଙ୍କା ଅଛି । ସେହିପରି ପିଆଜ ଦର ମଧ୍ୟ ୧୦ଟଙ୍କା ଖସିଆସିଛି । ସୋମବାର ରାଜଧାନୀରେ ପିଆଜ କିଲୋ ୪୦ଟଙ୍କା ଥିଲା । ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ବଙ୍ଗରୁ ନୂଆ ଆଳୁ ଆସିବ । ଓଡିଶାରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ନୂଆ ଆଳୁ ଆସିବ । ଆମ ପାଖକୁ ପର୍ଯ୍ୟାପ୍ତ ଆଳୁ ଆସୁଛି । ତେଣୁ ନୂଆବର୍ଷ ବେଳକୁ ଆଳୁ ଦର ଆହୁରି ଖସିବ ।