ଜୟପୁର, ୧୧।୩: ଲୋକଙ୍କ ଜୀବନ ସହ ଖେଳୁଥିଲେ ଅସାଧୁ ବ୍ୟବସାୟୀ । ଏକ୍ସପାୟାରି ଡେଟ୍କୁ କେମିକାଲ୍ ସାହାଯ୍ୟରେ ଲିଭାଇ ନୂଆ ତାରିଖ ମାରି ବଜାରକୁ ଛାଡ଼ିବା ପାଇଁ ଚାଲିଥିଲା ବଡ଼ ଧରଣର ଷଡ଼ଯନ୍ତ୍ର । ରାଜସ୍ଥାନ ଖାଦ୍ୟ ସୁରକ୍ଷା ବିଭାଗ ଏହି କଳା କାରନାମାର ପର୍ଦ୍ଦାଫାଶ କରିବା ସହ ପ୍ରାୟ ଦେଢ଼ ଲକ୍ଷ କେଜି ପଚାସଢ଼ା ଅମୁଲ୍ ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ଜବତ କରି ନଷ୍ଟ କରିଛି । ରାଜସ୍ଥାନ ସରକାରଙ୍କ ୧୮୧ ହେଲ୍ପଲାଇନ ନମ୍ବରରେ ଏକ ଅଭିଯୋଗ ଆସିବା ପରେ ଜୟପୁରର ଖୋ ନାଗୋରିଆନ୍ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ସେଠାରେ ଦୀର୍ଘ ଦିନ ଧରି ଗେଟ୍ ବନ୍ଦ କରି ଭିତରେ ଏହି ବେଆଇନ କାମ ଚାଲିଥିଲା । ଅମୁଲ୍ ବ୍ରାଣ୍ଡର ନୁଡୁଲ୍ସ, କେଚ୍ଅପ୍, ମାୟୋନିଜ୍ ଏବଂ ଏନର୍ଜି ଡ୍ରିଙ୍କସ୍ ଭଳି ପ୍ରାୟ ୧୨,୦୦୦ କାର୍ଟୁନ୍ ଏକ୍ସପାୟାରି ସାମଗ୍ରୀ ଜବତ ହୋଇଛି । କେବଳ ଏତିକି ନୁହେଁ, ପୁରୁଣା ତାରିଖ ଲିଭାଇବା ପାଇଁ ବ୍ୟବହାର ହେଉଥିବା ଥିନର୍ ଏବଂ ଆସିଟୋନ୍ ଭଳି କେମିକାଲ୍ ମଧ୍ୟ ଜବତ ହୋଇଛି । ପୁଣି ଥରେ ପ୍ୟାକ୍ କରିବା ପାଇଁ ୪,୫୦୦ରୁ ଅଧିକ ନୂଆ ଖାଲି କାର୍ଟୁନ୍ ମଧ୍ୟ ମିଳିଛି ।
ଏହା ବି ପଢ଼ନ୍ତୁ... ଦେଶରେ ପ୍ରଥମ 'ଇଚ୍ଛାମୃତ୍ୟୁ'କୁ ଅମୁମତି ଦେଲେ ସୁପ୍ରିମକୋର୍ଟ, ଜାଣନ୍ତୁ ୧୩ ବର୍ଷ ଧରି ଅଚେତ୍ ହରିଶଙ୍କ ଯନ୍ତ୍ରଣାଦାୟକ କାହାଣୀ
ୟୁଟ୍ୟୁବ୍ରୁ ଶିଖିଥିଲେ ଜାଲିଆତି:
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଗନ ଆହୁଜାଙ୍କୁ ପଚରାଉଚରା କରିବା ପରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ୟୁଟ୍ୟୁବ୍ ଦେଖି କିପରି ଏକ୍ସପାୟାରି ଡେଟ୍ ଲିଭାଯାଏ, ତାହା ଶିଖିଥିଲେ । ସେ ସ୍ୱଳ୍ପ ମୂଲ୍ୟରେ ଏକ୍ସପାୟାରି ସାମଗ୍ରୀ କିଣି ସେଗୁଡ଼ିକୁ ନୂଆ ରୂପ ଦେଇ ବଜାରରେ ବିକ୍ରି କରୁଥିଲେ । ଏହି ସାମଗ୍ରୀଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଅସ୍ୱାସ୍ଥ୍ୟକର ଏବଂ ଖାଇବା ଅନୁପଯୁକ୍ତ । ଏହା ଦ୍ୱାରା ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଗାୟତ୍ରୀ ରାଠୋର କହିଛନ୍ତି । ଜବତ ହୋଇଥିବା ସାମଗ୍ରୀ ଏତେ ଅଧିକ ଥିଲା ଯେ, ସେଗୁଡ଼ିକୁ ନଷ୍ଟ କରିବା ପାଇଁ ପ୍ରାୟ ୨୭ଟି ଟ୍ରକ୍ ବ୍ୟବହାର କରାଯାଇଥିଲା । ଦୀର୍ଘ ୪ ଦିନ ଧରି ଏହି ସମସ୍ତ ସାମଗ୍ରୀକୁ ଏକ ଲ୍ୟାଣ୍ଡଫିଲ୍ରେ ପୋତି ନଷ୍ଟ କରାଯାଇଛି । ବର୍ତ୍ତମାନ ଏହି ଗୋଦାମକୁ ସିଲ୍ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।