ଅନେକ ସଫଳତା, ଗୌରବ ଗାଥା ଯୋଡ଼ିଛି ୨୦୨୫ । ତା’ ଭିତରେ ଘଟିଛି ଏଭଳି କିଛି ବିସ୍ଫୋରକ ଘଟଣା, ଯାହାକୁ ସମ୍ଭାଳିବା ପାଇଁ ସରକାର ନୟାନ୍ତ ହୋଇଛନ୍ତି । ଅଶାନ୍ତିର ନିଆଁ ଭାଇଚାରା ସହର କଟକର ଶାନ୍ତିକୁ ଦୋହଲାଇ ଦେଇଥିଲା । ହୁତ୍ହୁତ୍ ଜଳିଲା ସହର । ଉଜୁଡ଼ିଲା ଘର । କଟକରୁ ମାଲକାନଗିରି ଭୟାନକ ଚିତ୍ର ଥରାଇ ଦେଲା ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ହୃଦୟ । ପୁଲିସ ଏସଆଇ ଚାକିରି ଦୁର୍ନୀତିର ପେଡ଼ି ଖୋଲିଲା, ଉଠିଲା ପଡ଼ିଲା ରାଜ୍ୟ ରାଜନୀତି । ଶାସକ-ବିରୋଧୀ ସବୁ ଘାଣ୍ଟି ହେଲେ ଏହି କାଳିମା ଭିତରେ । ପୁଲିସ୍କୁ ଡରିଲେନି ଅପରାଧୀ । ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କଲେ । ପୁଣି ରାଜଧାନୀରେ ସରକାରୀ କାର୍ଯ୍ୟାଳୟ ଭିତରେ ବରିଷ୍ଠ ଅଧିକାରୀଙ୍କୁ ଘୋଷାଡ଼ି ନିସ୍ତୁକ ମାଡ଼ ମାରିଲେ । ନ୍ୟାୟ ମିଳିଲାନି, ଆତ୍ମଦାହର ନିଷ୍ଠୁର ରାସ୍ତାକୁ ଆପଣାଇଲେ ବାଲେଶ୍ୱର ଛାତ୍ରୀ । ନାରୀ ସୁରକ୍ଷା ଦାବିରେ ସାରା ରାଜ୍ୟରେ ଜଳିଲା ପ୍ରତିବାଦ ନିଆଁ । ପୁଣି ଧର୍ମଶାଳାରେ ବର୍ଷ ତମାମ ଲାଗି ରହିଲା ରାଜନୈତିକ ବିବାଦ । ଏମିତି କିଛି ଅଲୋଡ଼ା ଅଭାବନୀୟ ଘଟଣା ସାଧାରଣ ଜୀବନକୁ ଯେତିକି ପ୍ରଭାବିତ କରିଛି, ପ୍ରଶାସନକୁ ସେତିକି ନାକେଦମ କରିଛି ।
ମୁକେଶ ପରିଡ଼ା
କର୍ଫ୍ୟୁ...
ଚାରି ଦଶନ୍ଧି ଭିତରେ ଏଭଳି କେବେ ଘଟିନଥିଲା । ଭାଇଚାରା ସହର କଟକର ଗୌରବରେ କଳଙ୍କ ବୋଳିଲେ ଅସାମାଜିକ । ଦଶହରା ଭସାଣି ସମୟରେ ଦରଘା ବଜାରରେ ଦେଖାଦେଲା ଉତ୍ତେଜନା । ବର୍ଷିଲା ଢେଲାପଥର, ଜଳିଲା ନିଆଁ । ଭାଙ୍ଗିଲା ଦୋକାନ ବଜାର । ଚାହୁଁ ଚାହୁଁ ସାମ୍ପ୍ରଦାୟିକତାର ବିଷ ଖେଳିଗଲା ଶାନ୍ତିର ସହରରେ । ହଜାରେ ବର୍ଷର ଭାଇଚାରା ସହରକୁ ବଦନାମ କରିବାକୁ ଲାଗି ପଡ଼ିଲେ ଷଡ଼ଯନ୍ତ୍ରକାରୀ । ସୋସିଆଲ ମିଡିଆରୁ ସଡ଼କ ଯାଏ ସବୁଠି ଅଶାନ୍ତିର ବାତାବରଣ । କାନ୍ଧକୁ କାନ୍ଧ ମିଶାଇ ଏକାଠି ପରସ୍ପରର ପାର୍ବଣ ପାଳୁଥିବା ଦୁଇ ସମ୍ପ୍ରଦାୟ ଭିତରେ ବଢ଼ିଲା ଉତ୍ତେଜନା । କଟକର ଏ ନିଆଁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ଦେଖାଦେଲା । ସରକାର ଲଗାଇଲେ ୩୬ ଘଣ୍ଟିଆ କର୍ଫ୍ୟୁ । ବିଶୃଙ୍ଖଳାକାରୀ ଓ ଗୁଜବକାରୀଙ୍କୁ ସାବାଡ କରିବାକୁ ସଜାଗ ରହିଲା ପୁଲିସ । ୪୨ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ ସେବା । ଦୋକାନ ବଜାର, ସ୍କୁଲ, କଲେଜ, ଅଫିସ ସବୁ ବନ୍ଦ । ପୂରା ଅଚଳ ହୋଇଗଲା ସହର । ଉପକଣ୍ଠ ୪୨ ମୌଜାରେ ମଧ୍ୟ ସଟ୍ଡାଉନ ସ୍ଥିତି ଉପୁଜିଲା । ଶେଷରେ ଶାନ୍ତି ଓ ଭାଇଚାରା ଫେରାଇ ଆଣିଲେ କଟକବାସୀ । ଜିତିଲା ଭାଇଚାରା, ହାରିଲା ସାମ୍ପ୍ରଦାୟିକତାର ବିଷ । ମିଳିମିଶି ପାଳିଲେ ଦୀପାବଳି । କଟକ ଦେଖାଇଦେଲା ଭାଇଚାରର ଦମ୍ ।
ବାଲେଶ୍ୱରରୁ ଚାନ୍ଦବାଲି ଯାଏଁ
ନାରୀ ବିରୋଧୀ ହିଂସା ସୀମା ଟପି ଯାଇଥିଲା । ନ୍ୟାୟ ପାଇଁ କିଛି ପୀଡ଼ିତା ଆତ୍ମଦାହର ନିଷ୍ଠୁର ରାସ୍ତାକୁ ବାଛିଲେ । ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣା ଚଳିତବର୍ଷ ସାରା ଓଡ଼ିଶାର ଛାତି ଥରାଇ ଦେଇଥିଲା । କଲେଜ ପ୍ରଶାସନ ଓ ନିର୍ଦ୍ଦିଷ୍ଟ ଅଧ୍ୟାପକଙ୍କ ବିରୋଧରେ କର୍ତ୍ତୃପକ୍ଷ, ନିର୍ବାଚିତ ଜନପ୍ରତିନିଧି ଓ ସରକାରଙ୍କୁ ଗୁହାରି କରି ବି ନ୍ୟାୟ ପାଇଲେନି ସୌମ୍ୟାଶ୍ରୀ । ଶେଷରେ କଲେଜ ପରିସରରେ ନିଜେ ନିଜକୁ ଜାଳିଦେଲେ । ପ୍ରତିବାଦର ନିଆଁ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ଉଠିଲା । ଓଡ଼ିଶା ବନ୍ଦ ହେଲା, ବିଧାନସଭା କମ୍ପିଲା । ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଗଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ (ଏଚଓଡି) ସମୀର ସାହୁଙ୍କ ସହ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମଧ୍ୟ ଗିରଫ ହେଲେ । ପରବର୍ତ୍ତୀ ସମୟରେ ଦୁଇ ଛାତ୍ରଙ୍କୁ ଗିରଫ କରାଗଲା । ଏହି ଘଟଣା ପରେ ପୁରୀ ବଳଙ୍ଗାରେ ଜଣେ ପୀଡ଼ିତା ଜଳିଯିବାକୁ ନେଇ ରାଜ୍ୟ ପୁଣି ଉଠିଥିଲା ପଡ଼ିଥିଲା । କେନ୍ଦ୍ରାପଡ଼ାରେ ମଧ୍ୟ ଏଭଳି ଅଘଟଣକୁ ନେଇ ତୁମ୍ବି ତୋଫାନ ହେଲା । ବର୍ଷ ଶେଷ ବେଳକୁ ଚାନ୍ଦବାଲିରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲା ନେଇ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଥିଲା । ଏହାବାଦ୍ ଗୋପାଳପୁର ବେଳାଭୂମି, ପୁରୀ ବାଲିହରଚଣ୍ଡୀ ଓ ଧଉଳି ପାଖ କୁଆଖାଇ ନଦୀପଠାରେ ଗଣଦୁଷ୍କର୍ମ ମାମଲା ଓଡ଼ିଶାକୁ ଲଜ୍ଜିତ କରିଥିଲା । ଓଡ଼ିଶାକୁ ନାରୀଙ୍କ ପାଇଁ ଅସୁରକ୍ଷିତ ଦର୍ଶାଇ ଆମେରିକା ଜାରି କରିଥିବା ମାର୍ଗଦର୍ଶିକା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିଲା । ଏସବୁ ପ୍ରସଙ୍ଗ ଚଳିତବର୍ଷ ପ୍ରଶାସନକୁ ନାକେଦମ କରିଥିଲା ।
ପୀତବାସ ହତ୍ୟାକାଣ୍ଡ
ଅକ୍ଟୋବର ୬ । କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଗଲା । ବୈକୁଣ୍ଠନଗର ଛକରେ ଘରଠାରୁ ମାତ୍ର ଶହେ ମିଟର ଦୂରରେ ଦୁଇଜଣ ସାର୍ପ ସୁଟର ବାଇକରେ ତାଙ୍କୁ ଗୁଳି କଲେ । ଏ ହତ୍ୟାକାଣ୍ଡ ସଭିଙ୍କ ଛାତି ଥରାଇ ଦେଲା । ରାଜ୍ୟ ରାଜନୀତିକୁ ବି ଦୋହଲାଇ ଦେଲା । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର (ପିଣ୍ଟୁ) ଦାସ, ଚିଣ୍ଟୁ ପ୍ରଧାନ, ମଦନ ଦଳେଇ, ମଳୟ ବିଷୋୟୀ ସମେତ ୧୨ଜଣ ଗିରଫ ହେଲେ । କଲେଜ ସମୟରୁ ଘନିଷ୍ଠ ବନ୍ଧୁ ଥିବା ବିକ୍ରମ ଓ ପୀତବାସ ପରସ୍ପରକୁ ନିଜ କ୍ୟାରିୟର ବାଟରେ କଣ୍ଟା ଭାବୁଥିଲେ । ଯେଉଁଥିପାଇଁ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଠିଥିଲା, ପଡ଼ିଥିଲା । ବିକ୍ରମ ଗିରଫ ହେବା ପରେ ତାଙ୍କ ସମର୍ଥନରେ ଖୋଲାଖୋଲି ବାହାରିଥିଲା ବଜେଡି । ଏହାକୁ ନେଇ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ଆନ୍ଦୋଳନ କରା ଯାଇ ଥିଲା ।
ଜଳିଲା ମାଲକାନଗିରି
କଟକର ଘଟଣା ପଛକୁ ମାଲକାନଗିରିରେ ଉପୁଜିଥିଲା ଭୟାନକ ସ୍ଥିତି । ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବାକୁ ନେଇ କୋରୁକୁଣ୍ଡା ବ୍ଲକର ରାଖାଲଗୁଡ଼ା ଓ ଏମ୍ଭି-୨୬ ଗାଁରେ ଏମିତି ଉତ୍ତେଜନା ବ୍ୟାପିଲା, ଯେ ସ୍ଥିତି ସ୍ୱାଭାବିକ ହେବାକୁ ୧୫ ଦିନ ଲାଗିଗଲା । ଉତ୍ତେଜନାର ନିଆଁରେ ପୋଡ଼ି ଛାରଖାର ହୋଇଗଲା ୧୬୩ ଘର, ଗାଡ଼ିମୋଟର, ଆସବାବପତ୍ର । ଅନେକ ଘର ଭାଙ୍ଗିଲା । ଲୋକେ ଭୟରେ ଘର ଛାଡ଼ି ପଳାଇଲେ । ବିଧାନସଭାକୁ କଥା ଆସିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେଲା । ସର୍ବୋଚ୍ଚ ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଲେ । ଦିନରାତି ପଇଁତରା ମାରିଲେ ୨୩ ପ୍ଲାଟୁନ ପୁଲିସ ଫୋର୍ସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଘଟଣାସ୍ଥଳକୁ ଗଲେ । ସରକାରଙ୍କ ସଫଳ ଉଦ୍ୟମରେ ସ୍ଥିତି ଶାନ୍ତ ହେଲା ।
ଅଫିସରଙ୍କୁ ଘୋଷାଡ଼ି ମାଡ଼
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ହେଲା ମରଣାନ୍ତକ ଆକ୍ରମଣ । ବିଏମସି ମୁଖ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଚାଲିଥାଏ । ଅଭିଯୋଗ ପ୍ରକୋଷ୍ଠକୁ ଧସେଇ ପଶିଲେ ୫ ଜଣ ଯୁବକ । ଅଫିସରଙ୍କୁ ଘୋଷାଡ଼ି ଟାଣି ଆଣିଲେ । ନିସ୍ତୁକ ଗୋଇଠା ମାଡ଼ କଲେ । ଜୁନ୍ ୩୦ ତାରିଖର ଏହି ଘଟଣାର ଭିଡିଓ ବିଜୁଳି ବେଗରେ ଖେଳିଗଲା ଗଣମାଧ୍ୟମ ଓ ସୋସିଆଲ ମିଡିଆରେ । ଏହି ଘଟଣାରେ ବିଜେପି କର୍ପୋରେଟର ଅପରୂପ ନାରାୟଣ (ଜୀବନ) ରାଉତ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ଅଭିଯୋଗ ଆଣି ବିଜେଡି କର୍ପୋରେଟର ରାସ୍ତା ରୋକିଲେ । ପ୍ରଥମେ କର୍ପୋରେଟର ଓ ତାଙ୍କ ୪ଜଣ ସହଯୋଗୀ ଗିରଫ ହେଲେ । ଓଏଏସ୍ ସଂଘ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇ ରାଜ୍ୟ ପ୍ରଶାସନକୁ ଅଚଳ କଲେ । ଅକଳରେ ପଡ଼ିଲେ ସରକାର । ଶେଷରେ ସରକାରଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ନିଜ ଆଡ଼ୁ ପୁଲିସ ପାଖକୁ ଯାଇ ଗିରଫ ହେଲେ ଜଗନ୍ନାଥ ।
ଦଳାଚକଟା
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଅଘଟଣ । ଶରଧାବାଲିରେ ହେଲା ଦଳାଚକଟା । ତିନୋଟି ମୂଲ୍ୟବାନ ଜୀବନର ପ୍ରାଣବାୟୁ ଉଡ଼ିଗଲା । ଅନେକ ଆହତ ହେଲେ । ତିନି ଠାକୁରଙ୍କ ରଥ ଶରଧାବାଲିରେ ଥିବାବେଳେ ରାତି ତମାମ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଲାଗି ରହିଥିଲା । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରଥର ପହୁଡ଼ ବନ୍ଦ ଥିବାବେଳେ ଭୋର ସମୟରେ ଏକାକାଳୀନ ଖୋଲିଥିଲା । ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହେଲା । ଭିଡ଼ ଏମିତି ଥିଲା ଯେ ନିୟନ୍ତ୍ରଣ କରିପାରିନଥିଲା ପୁଲିସ । ବହୁ ଭକ୍ତ ତଳେ ପଡ଼ିଯିବାରୁ ଅଘଟଣ ଘଟିଲା । ଏହି ଘଟଣାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଥିଲେ । ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲା । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲା ।
ନିଯୁକ୍ତି ମହାଦୁର୍ନୀତି
ପୁଲିସ ଏସଆଇ ନିଯୁକ୍ତିରେ ଟଙ୍କା କାରବାର । ୨୫ ଲକ୍ଷ ଟଙ୍କାରେ ଏସଆଇ ଚାକିରି ଦେବାକୁ ଡିଲ୍ ହୋଇଥିଲା । ବସ୍ରେ ପରୀକ୍ଷାର୍ଥୀ ବିଶାଖାପାଟଣା ଯିବାବେଳେ ଧରିଲା ବ୍ରହ୍ମପୁର ପୁଲିସ । ଏକାଥରକେ ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ପୁଲିସ ଗିରଫ କଲା । ବାସ୍, ଏଇଠୁ ଖୋଲିଲା ମହାଦୁର୍ନୀତି ର୍ୟାକେଟର କଳାଫର୍ବ୍ଦ । ଉଠିଲା ପଡ଼ିଲା ରାଜ୍ୟ ରାଜନୀତି । ରାସ୍ତାକୁ ଓହ୍ଲାଇଲେ ବିରୋଧୀ ଦଳ । ଚାଲିଲା ଆନ୍ଦୋଳନ । ବିଜେଡି ଓ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଘେରିଥିବାବେଳେ ଶାସକ ଦଳ ଦୋଷ ଲଦିଲା ୨୪ ବର୍ଷର ପୂର୍ବ ଶାସନ କାଳକୁ । ତଦନ୍ତ ଯେତିକି ଆଗେଇଲା, ସେତେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଲା । ହଜାରେ କୋଟିର ଡିଲ୍ରୁ ନେଇ କୋଚିଂ ସେଣ୍ଟରର ସଂପୃକ୍ତି ବାବଦରେ ତନାଘନା ଚାଲିଲା । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ନେଇ ସବୁ ଦଳ ହରଡ଼ଘଣାରେ ପଡ଼ିଲେ । ଶାସକ ଦଳ ହେଉ କି ବିରୋଧୀ ଦଳ, ସବୁ ଦଳ ନେତାଙ୍କ ସହ ଶଙ୍କରର ଫଟୋ ମାଳମାଳ । ଦ୍ୱନ୍ଦ୍ୱରେ ପଡ଼ିଲେ ଜନତା, ଏ ଶଙ୍କର କାହାର? ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ ଏ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚରୁ ସିବିଆଇ ହାତକୁ ଗଲା । ଏଯାବତ୍ ଏହି ମାମଲାରେ ୧୨୮ରୁ ଅଧିକ ଗିରଫଦାରୀ ହେଲାଣି ।
ଧର୍ମଶାଳା ପତିଆରା ଲଢ଼େଇ
ବର୍ଷ ତମାମ ଧର୍ମଶାଳା ନିର୍ବାଚନମଣ୍ଡଳୀ ଚର୍ଚ୍ଚା ରାଜ୍ୟ ରାଜନୀତିରେ ସରଗରମ ରହିଥିଲା । ବିଭିନ୍ନ ସମୟରେ ଧର୍ମଶାଳାରେ ରାଜନୈତିକ ହିଂସା, ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଛି । ପୂର୍ବତନ ବିଧାୟକ ପ୍ରଣବ (ଜିତୁ) ବଳବନ୍ତରାୟ ବନାମ ବିଧାୟକ ହିମାଂଶୁ (ଲିକୁ) ସାହୁଙ୍କ ଭିତରେ ବିବାଦ ଓ ଭଭୟ ଗୋଷ୍ଠୀର ସଂଘର୍ଷ ଧର୍ମଶାଳାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରିଛି । ବିଭିନ୍ନ ସମୟରେ ବାଡ଼ିଆପିଟାର ଭିଡିଓ ଭାଇରାଲ୍ ହୋଇଛି । ନିକଟରେ ଜିତୁଙ୍କ ଫାର୍ମହାଉସରେ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲା ବିଜେଡି । ଏହାକୁ ନେଇ ରାଜଧାନୀରେ ବିଜେଡି ଧାରଣା ଦେଇଥିଲା । ପୂର୍ବରୁ ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ନେଇ ତାଙ୍କ ସମର୍ଥକମାନେ ମଧ୍ୟ ବିକ୍ଷୋଭକୁ ଓହ୍ଳାଇଥିଲେ । ଦୁଇ ନେତାଙ୍କ ପତିଆରା ଲଢ଼େଇକୁ ନେଇ ଧର୍ମଶାଳା ସବୁଠାରୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ପାଲଟିଥିଲା ବର୍ଷ ତମାମ ।
ବନ୍ଦ
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଘଟଣାରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ଜୁଲାଇ ୧୭ରେ । ଏ ପ୍ରସଙ୍ଗରେ ବିଜୁ ଜନତା ଦଳ ମଧ୍ୟ ରାଜଧାନୀରେ ଜୋରଦାର ବିକ୍ଷୋଭ କରିଥିଲା । ସୌମ୍ୟାଶ୍ରୀଙ୍କଠାରୁ ବଳଙ୍ଗା ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ବିରୋଧୀ ଦଳ ସରକାର ବିରୋଧରେ ବାରମ୍ବାର ସ୍ୱର ଉଠାଇଥିଲେ ରାଜରାସ୍ତାରେ । ଚାନ୍ଦବାଲି ଘଟଣାରେ ବି ବିରୋଧୀ ଦଳ ବନ୍ଦ ପାଳନ କରିଥିଲେ ।
ଭଦ୍ରକ ତାତିଲା
ଗୋ ଚାଲାଣ କୁ ନେଇ ଗତ ମେ’ ୩୦ରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଘଟିଲା ସଂଘର୍ଷ । ଗୁରୁତର ଆହତ ସନ୍ତୋଷ ପରିଡ଼ାଙ୍କର ଜୁନ ୧୧ରେ ମୃତ୍ୟୁ ହେଲା । ମୃତଦେହ ଭଦ୍ରକରେ ପହଞ୍ଚିବା ପରେ ଜାତୀୟ ରାଜପଥ ଅବରୋଧକୁ ଓହ୍ଲାଇଥିଲେ ଉତ୍ତ୍ୟକ୍ତ ଲୋକେ । ଉତ୍ତେଜନା ବ୍ୟାପିବା ଆଶଙ୍କାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ପରେ ଭଦ୍ରକରେ ସ୍ଥିତି ସ୍ୱାଭାବିକ ହୋଇ ଥିଲା ।