ଭୁବନେଶ୍ୱର, ୨୨/୦୫: ସାଂଘାତିକ ତାତି । ଗୁରୁବାର ହୁତ୍ ହୁତ୍ ହୋଇ ଜଳିଲା ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ତାତି ବିସ୍ଫୋରଣ ଭଳି ଜ୍ୱାଳା । ଜଙ୍ଗଲ ନିଆଁ ଭଳି ଉପକୂଳକୁ ମାଡ଼ି ଆସିଲା ତତଲା ପବନ । ଦେହ ହାତ ଯେମିତି ଜଳି ପୋଡ଼ି ଯାଉଥିଲା । ଗୁରୁବାର ଝାରସୁଗୁଡ଼ା ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍ । ସମ୍ବଲପୁର ଓ ବଲାଙ୍ଗୀର ୪୪.୬, ଟିଟିଲାଗଡ଼ ୪୪.୪, ସୋନପୁର ୪୪.୩, ବୌଦ୍ଧ ୪୪.୩ । ଡିଗ୍ରୀ । ନିଆଁ ବର୍ଷୁଛି ଆକାଶରୁ । ଅନୁଗୁଳ, ଭବାନୀପାଟଣା, ତାଳଚେର ତାପମାତ୍ରା ମଧ୍ୟ ୪୩.୫ ଡିଗ୍ରୀରୁ ୪୪ ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା । ଯେମିତି ନିଆଁର ଲହରୀ ମାଡ଼ି ଯାଇଥିଲା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ । ତ୍ରାହି ମିଳିଲାନି ଉପକୂଳ ଭାଗରେ । ଭୁବନେଶ୍ୱର ତାପମାତ୍ରା ଦିନକ ଭିତରେ ୬ ଡିଗ୍ରୀ ବଢ଼ି ୪୨.୨ ଡିଗ୍ରୀ ତାତିରେ ସିଝିଲା । କଟକ ବି ୪୦ ଡିଗ୍ରୀ ଉପରେ । ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ପାଣିପାଗ ବିଭାଗ ପୂର୍ବାନୁମାନ ଚିତ୍ର ଦେଖିଲେ ଡର ଲାଗୁଛି । ନିସ୍ତାର ନାହିଁ ପ୍ରାୟ ସପ୍ତାହେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନୟାନ୍ତ କରିଦେବ। ଅନ୍ୟପଟେ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ କହୁଛି, ଗରମ ଓ ଗୁଳୁଗୁଳି ପ୍ରକୋପ ୨୭ ପର୍ଯ୍ୟନ୍ତ ଛଟପଟ କରିବ । ସେପର୍ଯ୍ୟନ୍ତ ବିଶେଷ ବଡ଼ ଧରଣର ବର୍ଷା କିମ୍ବା ଆଶ୍ୱସ୍ତି ସମ୍ଭାବନା କମ୍ । ହେଲେ ପରବର୍ତ୍ତୀ ସପ୍ତାହ ବେଳକୁ (ମେ’ ୨୯ରୁ ଜୁନ୍ ୪) ରାଜ୍ୟରେ ବର୍ଷା ଆଶ୍ୱସ୍ତି ଆଣିପାରେ । ଆସନ୍ତା ୨୮-୨୯ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର (ଆଣ୍ଡାମାନ ସାଗର) ନିକଟରେ ଏକ ଘୂର୍ଣ୍ଣିବଳୟ/ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ରହିବା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ କିଛିଦିନ ଧରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଓ ମେଘଖଣ୍ଡ ଥିବାରୁ ଦିନ ତାପମାତ୍ରା ନିୟନ୍ତ୍ରିତ ରହୁଥିଲା । ଆଜି ଆକାଶ ନିର୍ମଳ ହେବାରୁ ସୂର୍ଯ୍ୟ କିରଣ ତୀବ୍ରତା ବଢ଼ିଲା । ଆଭ୍ୟନ୍ତରୀଣ ଓଡ଼ିଶାରୁ ଗ୍ରୀଷ୍ମ ପବନ ଉପକୂଳକୁ ଆସିଲା । ଅନ୍ୟପଟେ ସାମୁଦ୍ରିକ ପବନ ନଥିଲା । ତେଣୁ ଭୁବନେଶ୍ୱରରେ ଗୁରୁବାର ‘ଲୁ’ ଭଳି ଗରମ ପବନ ଅନୁଭୂତ ହୋଇଥିଲା । ଅନ୍ୟ ଏକ କାରଣ ହେଲା-ଭର୍ଟିକାଲ ମିକ୍ସିଂ । ଭୂମି ଅତ୍ୟଧିକ ଗରମ ହେଲେ ଉପରସ୍ତରର ଶୁଷ୍କ ଗରମ ପବନ ତଳକୁ ନ ଆସି ସମୁଦ୍ରର ଆର୍ଦ୍ର ପବନକୁ କିଛି ସମୟ ପାଇଁ ଦମନ କରେ । ସେଥିପାଇଁ ଦିନକରେ ତାପମାତ୍ରା ମଧ୍ୟ ୪ରୁ ୬ ଡିଗ୍ରୀ ବଢ଼ିପାରେ ।

ପ୍ରଫେସର ପଶୁପାଳକ କହିଛନ୍ତି, ଆଗାମୀ ୫ ଦିନରେ ଭୁବନେଶ୍ୱର ତାପମାତ୍ରା ପ୍ରାୟତଃ ୩୬ରୁ ୩୯ ଡିଗ୍ରୀ ରହିପାରେ । କେତେକ ଦିନରେ ପାରଦ ୪୦ ଛୁଇଁପାରେ । କେବେ କେବେ ପଶ୍ଚିମା ତତଲା ପବନ ପ୍ରବାହିତ ହୋଇପାରେ । ରାତିରେ ଗୁଳୁଗୁଳି ଓ ଗରମ ଜାରି ରହିବ । କାଳବୈଶାଖୀ ସମୟରେ ଝଡ଼ ପବନ ହୋଇପାରେ । ଝାରସୁଗୁଡ଼ାରେ ପ୍ରାୟତଃ ତାପମାତ୍ରା ୪୩-୪୫ ଡିଗ୍ରୀ ରହିବ । କେବେ କେବେ ୪୫ ଟପିପାରେ । ଅତ୍ୟନ୍ତ ତତଲା ପବନ ପ୍ରବାହ ଆଉ କିଛିଦିନ ରହିବ । ଆସନ୍ତା କିଛିଦିନ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ।

ପାଣିପାଗ ବିଭାଗ ଚେତାଇ ଦେଇଛି, ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅନୁଭୂତ ହୋଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ସମ୍ବଲପୁର ଓ ବଲାଙ୍ଗୀରରେ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇପାରେ। ବାଲେଶ୍ୱର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇପାରେ । ଏଭଳି ସ୍ଥିତି ୨୫ ଯାଏଁ ରହିବ । ଅନ୍ୟପଟେ ପ୍ରତିଦିନ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।

ଭୀଷଣ ଗରମ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକରେ ଅଂଶୁଘାତ ଆଶଙ୍କା ଥିବାରୁ ପଦାକୁ ଯିବାବେଳେ ସତର୍କତା ବ୍ୟବସ୍ଥା ଆପଣାଇବା ପାଇଁ ପରାମର୍ଶ ଦିଆଯାଇଛି । ଦୀର୍ଘ ସମୟ ଧରି ପ୍ରଚଣ୍ଡ ଖରା ସଂସ୍ପର୍ଶରେ ଯେପରି ନ ଆସିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ପ୍ରଚଣ୍ଡ ଖରା ସମୟରେ ମଦ୍ୟପାନ, ଚା’, କଫି, ଗ୍ୟାସ ଯୁକ୍ତ ଥଣ୍ଡା ପାନୀୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରଚୁର ପାଣି ପିଇବା ସହ ଓଆରଏସ, ଲସି, ତୋରାଣି, ଆଖୁ ରସ, ଲେମ୍ବୁ ପାଣି, ଘୋଳ ଦହି ପିଇବା ପାଇଁ କୁହାଯାଇଛି । ଖରା ସମୟରେ ହାଲୁକା, ଢିଲା ତଥା ସୂତା କପଡା ପୋଷାକ ପିନ୍ଧିବାକୁ ପରାମର୍ଶ ଜାରି କରାଯାଇଛି ।