କଟକ, ୩୦/୦୭ : ରାଜ୍ୟରେ ମାତିଛନ୍ତି ଚାକିରି ବିକ୍ରୟ ରାକେଟ୍ । ସ୍ୱାସ୍ଥ୍ୟ ବିଭାଗ ନାଁରେ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି। ୯୪୮ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଜ୍ଞାପନ। ଦ୍ୱନ୍ଦ୍ୱରେ ଚାକିରି ଆଶାୟୀ। ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ। କେବଳ ଲୋକ ଦେଖାଣିଆ ସବୁ ସିଡିଏମ୍‌ଓଙ୍କୁ ସତର୍କ କରି ବସିପଡ଼ିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କୌଣସି ଥାନା କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ରେ କରାଯାଇନି ଅଭିଯୋଗ। ୨ ବର୍ଷ ତଳେ ଘଟିଥିଲା ସମାନ ଘଟଣା। ଦଲାଲଙ୍କ ଚାକିରି ବିକ୍ରି ଜାଲରେ ଫସି ଠକାମିର ଶିକାର ହୋଇଥିଲେ ଶତାଧିକ ଆଶାୟୀ। 

ସୂଚନାନୁଯାୟୀ, ଠିକା ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶାଳୟର ଏକ ନିଯୁକ୍ତି ବିଜ୍ଞାପନ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଆଉଟ୍‌ସୋର୍ସିଂ ସଂସ୍ଥା ମାଧ୍ୟମରେ କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ଜିଲ୍ଲାରେ ୯୪୮ ସ୍ୱାସ୍ଥ୍ୟ କର୍ମୀ ପଦବି ପୂରଣ ନିମନ୍ତେ ବିଜ୍ଞାପନ ବାହାରିଛି। ଏହି ବିଜ୍ଞାପନ ପଢ଼ି ବହୁ ଚାକିରି ଆଶାୟୀ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଏହା ଜାଲ ନିଯୁକ୍ତି ବିଜ୍ଞପ୍ତି ବୋଲି ଜଣାପଡ଼ିଛି। ଏନେଇ ଆଶାୟୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶକ କାର୍ଯ୍ୟାଳୟର ଲେଟର ପ୍ୟାଡ୍‌ର ଅବିକଳ ନକଲ ଓ ନିର୍ଦ୍ଦେଶକଙ୍କ ଦସ୍ତଖତକୁ କେହି ନକଲ କରି ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରସ୍ତୁତ କରିଛନ୍ତି । ଏଥିରେ ହସ୍ପିଟାଲ ମ୍ୟାନେଜର ପଦବିଠାରୁ ଆରମ୍ଭ କରି ଫାର୍ମାସିଷ୍ଟ୍‌, ନର୍ସିଂ, ରେଡିଓଗ୍ରାଫର୍‌, ଲାବ୍ରୋଟୋରି ଟେକ୍ନିସିଆନ, ଲାବ୍ରୋଟୋରି ଆସିଷ୍ଟାଣ୍ଟ୍‌, ଏଏନ୍‌ଏମ୍‌, ସୁପର୍‌ଭାଇଜର, ପିଅନ, ଡାଟା ଏଣ୍ଟ୍ରି ଅପରେଟର୍‌, ସୁଇପର୍‌ ଆଦି ୨୪ଟି ପାହ୍ୟାର ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ଜିଲ୍ଲା ସ୍ତରରେ ଏହି ନିଯୁକ୍ତି ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ୱାରା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଉକ୍ତ ବିଜ୍ଞପ୍ତି ସୋସିଆଲ୍‌ ମିଡିଆରେ ଦେଖିବା ଚାକିରି ଆଶାୟୀ ଆବେଦନ କରିବାକୁ ଯିବା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି ଜଣାପଡ଼ିଛି। 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶାଳୟ ନାଁରେ ଏପରି ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ପ୍ରସ୍ତୁତ କରାଯାଇ ଭାଇରାଲ୍‌ ହେଉଥିଲେ ହେଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ । କେବଳ ଲୋକ ଦେଖାଣିଆ ଭାବେ ଏବଂ ନିଜ ଆଡ଼କୁ କିପରି ସମସ୍ୟା ନ ଆସିବ ସେଥିଲାଗି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଓ ରାଉରକେଲାସ୍ଥିତ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କୁ ସତର୍କ ସୂଚନା ସୂରୁପ ଚିଠି ଜାରି କରିଛନ୍ତି। ସରକାରୀ ସଂସ୍ଥା ନାଁରେ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ଛପାଇ ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇନାହିଁ। ବିଭାଗ ପକ୍ଷରୁ ଥାନା କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ରେ ଏତଲା ଦାଏର ହୋଇ ନଥିବା ଖବର ମିଳିଛି। ସେହିପରି କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ମଧ୍ୟ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇନାହିଁ । ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗର ଏପରି ହାଲୁକା ମନୋଭାବ ଚାକିରି ବିକ୍ରୟ ରାକେଟ୍ ଦଲାଲ୍‌ମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି । ଦଲାଲ୍‌ମାନଙ୍କ ଚାକିରି ବିକ୍ରି ଜାଲରେ ରାଜ୍ୟରେ ଅନେକ ଚାକିରି ଆଶାୟୀ ଫସିବା ପରେ ଉକ୍ତ ଜାଲ୍‌ ନିଯୁକ୍ତି ବିଜ୍ଞପ୍ତି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି । ଏ ବାବଦରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ପ୍ରତିକ୍ରିୟା ନେବା ପାଇଁ ଏକାଧିକ ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ ନ କରିବାରୁ ତାହା ସମ୍ଭବ ହୋଇପାରି ନାହିଁ।