ନୂଆଦିଲ୍ଲୀ, ୧୪।୩: ଆମେରିକାରେ ଗ୍ରୀନ୍ କାର୍ଡ ହାସଲ କରିବା ପାଇଁ ଏକ ଅଜବ ତଥା ସାଂଘାତିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ଭିସା ଜାଲିଆତି ଅଭିଯୋଗରେ ୧୧ ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ଆମେରିକା ପୁଲିସ ମାମଲା ରୁଜୁ କରିଛି । ନିଜକୁ ଅପରାଧର ଶିକାର ବୋଲି ଦର୍ଶାଇ ଆମେରିକାରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଏମାନେ ବିଭିନ୍ନ ଷ୍ଟୋରରେ 'ନକଲି ସଶସ୍ତ୍ର ଲୁଟ୍'ର ନାଟକ ରଚିଥିଲେ । ଆମେରିକା ନ୍ୟାୟ ବିଭାଗର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମାସାଚୁସେଟ୍ସ, କେଣ୍ଟକି ଏବଂ ଓହିଓ ଭଳି ରାଜ୍ୟରେ ବେଆଇନ ଭାବେ ରହୁଥିଲେ । ଗ୍ରୀନ୍ କାର୍ଡ ପାଇବା ପାଇଁ ସେମାନେ ଏକ 'ଫେକ୍ ରବରି' ବା ନକଲି ଡକାୟତିର ଯୋଜନା କରିଥିଲେ ।

ଏହା ବି ପଢ଼ନ୍ତୁ... ମୁଜତବା ଖାମେନେଇଙ୍କ ସହ ୧୦ ଇରାନୀ ନେତାଙ୍କୁ ଖୋଜୁଛି ଆମେରିକା, ସୂଚନା ଦେଲେ ମିଳିବ ୧ କୋଟି ଡଲାର

ଅଭିଯୁକ୍ତମାନେ ଜଣେ ବନ୍ଧୁକଧାରୀଙ୍କୁ ଭଡ଼ାରେ ଆଣି ଦୋକାନରେ ଲୁଟ୍ କରିବାକୁ କହୁଥିଲେ । ସିସିଟିଭି କ୍ୟାମେରାରେ ଏହି ଲୁଟ୍ର ଦୃଶ୍ୟ କଏଦ ହୋଇଥିଲା, ଯେମିତି କି ପୁଲିସ ନିକଟରେ ସେମାନେ ନିଜକୁ ପୀଡ଼ିତ ବୋଲି ପ୍ରମାଣିତ କରିପାରିବେ । ଆମେରିକାରେ 'ୟୁ-ଭିସା' ପାଇବା ପାଇଁ ଏହି ନାଟକ ରଚାଯାଇଥିଲା । ଏହି ଭିସା ସେହିମାନଙ୍କୁ ମିଳିଥାଏ, ଯେଉଁମାନେ କୌଣସି ଗୁରୁତର ଅପରାଧର ଶିକାର ହୋଇଥାନ୍ତି ଏବଂ ତଦନ୍ତରେ ପୁଲିସକୁ ସାହାଯ୍ୟ କରିଥାନ୍ତି । ଏହି ଭିସା ମିଳିଗଲେ ଗ୍ରୀନ୍ କାର୍ଡ ପାଇବା ସହଜ ହୋଇଯାଏ । ଅଭିଯୁକ୍ତମାନଙ୍କ ମଧ୍ୟରେ ଜିତେନ୍ଦ୍ର କୁମାର ପଟେଲ, ମହେଶ କୁମାର ପଟେଲ, ସଞ୍ଜୟ କୁମାର ପଟେଲ, ରମେଶ ଭାଇ ପଟେଲ, ରୋନକ କୁମାର ପଟେଲଙ୍କ ସମେତ ୧୧ ଜଣ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୀପିକାବେନ ପଟେଲଙ୍କୁ ପୂର୍ବରୁ ହିଁ ଭାରତ ପଠାଇ ଦିଆଯାଇଛି । ବାକି ଅଭିଯୁକ୍ତମାନଙ୍କୁ ଆମେରିକାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି ।

ଦଣ୍ଡ ବିଧାନ:

ଯଦି ଏହି ବ୍ୟକ୍ତିମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ସର୍ବାଧିକ ୫ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇପାରେ । ଏଥିସହ ୨.୫ ଲକ୍ଷ ଡଲାର ପର୍ଯ୍ୟନ୍ତ ଜରିମାନା ବି ଦେବାକୁ ପଡ଼ିପାରେ । ସମସ୍ତଙ୍କୁ ଜେଲରୁ ମୁକୁଳିବା ପରେ ୩ ବର୍ଷ ପର୍ଯ୍ୟନ୍ତ କଡ଼ା ନଜରରେ ରଖାଯିବ । ଏହି ଘଟଣାର ମୁଖ୍ୟ ସୂତ୍ରଧର 'ରାମଭାଇ' ଏବଂ ନକଲି ଲୁଟେରାଙ୍କୁ ପୂର୍ବରୁ ହିଁ ଦୋଷୀ ସାବ୍ୟସ୍ତ କରାଯାଇସାରିଛି । ଆମେରିକା ପ୍ରଶାସନ ଏହି ଭିସା ଜାଲିଆତିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।