ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଇରାନର ପ୍ରଭାବଶାଳୀ ନେତାମାନଙ୍କୁ କୋଣଠେସା କରିବା ପାଇଁ ଆମେରିକା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ଆମେରିକା ୧ କୋଟି ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୮୪ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି । ଆମେରିକା ବିଦେଶ ବିଭାଗ ନିଜର “ରିୱାର୍ଡସ୍ ଫର୍ ଜଷ୍ଟିସ୍” କାର୍ଯ୍ୟକ୍ରମ ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟର ଜାରି କରିଛି । ଏହି ପୋଷ୍ଟରରେ କୁହାଯାଇଛି କି, ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏହି ନେତାମାନଙ୍କ ଗତିବିଧି କିମ୍ବା ସେମାନଙ୍କ ସମ୍ପର୍କରେ କୌଣସି ବିଶ୍ୱସନୀୟ ସୂଚନା ଅଛି, ତେବେ ସେମାନେ ଆମେରିକା ସହ ଯୋଗାଯୋଗ କରିପାରିବେ ।
ଏହା ବି ପଢ଼ନ୍ତୁ... ସାଉଦି ଆରବରେ ଇରାନର ବୋମା ବର୍ଷା, ପ୍ରିନ୍ସ ସୁଲତାନ ଏୟାରବେ ଟାର୍ଗେଟ୍, ୫ ଆମେରିକୀୟ ବିମାନ କ୍ଷତିଗ୍ରସ୍ତ
ତାଲିକାରେ ଅଛନ୍ତି ଏହି ନେତାମ:
ଆମେରିକା ଲକ୍ଷ୍ୟରେ ଥିବା ଏହି ଶୀର୍ଷ ନେତାମାନେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏବଂ ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ଜଡ଼ିତ । ଏହି ତାଲିକାରେ ଅଛନ୍ତି:
ମୋଜତାବା ଖାମେନେଇ: ସୁପ୍ରିମ ଲିଡର ଅଲୟତୁଲ୍ଲା ଖାମନେଇଙ୍କ ପୁଅ
ଇସମାଇଲ ଖାତିବ: ଇରାନର ଗୁପ୍ତଚର ମନ୍ତ୍ରୀ
ଅଲି ଅସଗର ହେୟାଜି: ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍
ମେଜର ଜେନେରାଲ ୟାହୟା ରହିମ ସଫଭି: ସାମରିକ ପରାମର୍ଶଦାତା
ଏସକନ୍ଦର ମୋମେନୀ: ଗୃହମନ୍ତ୍ରୀ
ଅଲି ଲାରିଜାନୀ: ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ସଚିବ
ଆମେରିକାର ଗମ୍ଭୀର ଅଭିଯୋଗ:
ଆମେରିକା ଦାବି କରିଛି ଯେ, ଏହି ବ୍ୟକ୍ତିମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ବିଶେଷ କରି ଇସ୍ରାଏଲ-ଇରାନ ମଧ୍ୟରେ ବଢ଼ୁଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହି ନେତାମାନଙ୍କୁ ଆମେରିକା ନିଜ ପାଇଁ ବିପଦ ବୋଲି ମାନୁଛି । ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଛି । ସୂଚନାଦାତାମାନେ ଏନକ୍ରିପ୍ଟେଡ୍ ମେସେଜିଂ ପ୍ଲାଟଫର୍ମ କିମ୍ବା 'ଟୋର ନେଟୱାର୍କ' ଜରିଆରେ ଯୋଗାଯୋଗ କରିପାରିବେ । ଯଦି ସୂଚନାଦାତାଙ୍କ ଜୀବନ ପ୍ରତି ବିପଦ ଥାଏ, ତେବେ ଆମେରିକା ସେମାନଙ୍କୁ ଅନ୍ୟ କୌଣସି ଦେଶରେ ବସବାସ କରିବା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସହାୟତା ପ୍ରଦାନ କରିବ ।