କେନ୍ଦୁଝର, ୧୧/୦୪ : ଚାଷୀଙ୍କ ମହତପଣିଆ। ଗାଁ ବିଦ୍ୟାଳୟକୁ ଦାନ କରିଦେଲେ କୋଟିଏ ଟଙ୍କାର ଜମି। ଏମିତି ବଦାନ୍ୟତା ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ପଞ୍ଚାୟତ କନ୍ଦରକଳା ଗ୍ରାମର ପରମାନନ୍ଦ ମହାନ୍ତ। ତିଳେମାତ୍ର କୁଣ୍ଠାବୋଧ ନକରି ନିଜର ୧ ଏକର ୪ ଡିସିମିଲ ଜମିକୁ ସେ ଗାଁ ସ୍କୁଲକୁ ଦାନ କରି ଦେଇଛନ୍ତି। ତାଙ୍କର ମହାନତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। 

ରାଇକଳା ଗାଁରେ ଥିବା ପିଏମଶ୍ରୀ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନିଜସ୍ଵ ଜମି ନଥିଲା। ଦୀର୍ଘବର୍ଷ ଧରି ବିଦ୍ୟାଳୟଟି କନ୍ଦରକଳା ଗ୍ରାମର ପରମାନନ୍ଦ ମହାନ୍ତଙ୍କ ଜମିରେ ଚାଲୁଥିଲା। ମୁଖ୍ୟମନ୍ତ୍ରୀ ଯେବେ ଯୋଜନା ପ୍ରସ୍ତୁତ କଲେ, ସେତେବେଳେ ସ୍କୁଲର ନିଜସ୍ଵ ଜମି ନଥିବାରୁ ଭିତ୍ତିଭୂମି ବିକାଶରେ ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ସମସ୍ୟା ହେଲା। ଏହା ଜାଣିବା ପରେ ପରମାନନ୍ଦ ନିଜ ଜମିକୁ ସ୍କୁଲକୁ ଦାନ କରିବାକୁ ମନସ୍ଥ କଲେ। ସେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବହିରାଙ୍କ ମାଧ୍ୟମରେ ୧ ଏକର ୪ ଡିସିମିଲ ଜାଗାକୁ ପ୍ରଧାନ ଶିକ୍ଷକ ଲୋଚନ ମହାନ୍ତ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବିଦ୍ୟାଳୟ ନାମରେ କରି ମହାନତାର ପରିଚୟ ଦେଇଛନ୍ତି। 

ରାଇକଳା ଗାଁର ବିଦ୍ୟାଳୟ ନିକଟ ରାସ୍ତାକଡ଼ ଜମି ଏବେ ଆକାଶଛୁଆଁ। ଏଠାରେ ଜମି ଡିସିମିଲ ପିଛା ୧ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପରମାନନ୍ଦଙ୍କ ଜମିର ମୂଲ୍ୟ ପ୍ରାୟ ଏକ କୋଟିରୁ ଅଧିକ ହେବ। ଗ୍ରାମର ଉନ୍ନତି ପାଇଁ ପରମାନନ୍ଦ ତାଙ୍କ ଜମି ଦାନ କରିଥିବାରୁ ଗ୍ରାମବାସୀମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଘାଟୀରେ ୫୦ ଫୁଟ ତଳକୁ ଖସିଲା ଓଏସଆରଟିସି ବସ୍, ୨ ମୃତ ୨୦ରୁ ଉର୍ଦ୍ଧ୍ଵ ଗୁରୁତର