ମାଲକାନଗିରି,୩୦/୧୨ (ଆପ୍ର ): ମିଲରଙ୍କ ପକ୍ଷରୁ ଚାଷୀଙ୍କୁ ମିଳୁନି ଅଖା ବସ୍ତା । ଚାଷୀ ନିଜେ ଜରି ବସ୍ତା କିଣି ସେଥିରେ ଧାନ ଆଣୁଛନ୍ତି ମଣ୍ଡିକୁ । ଜିଲ୍ଲାରେ ଖରିଫ୍ ଋତୁରେ ଚାଷୀଙ୍କ ପାଇଁ ପ୍ରାୟ ୨୫ଲକ୍ଷ ଅଖା ବସ୍ତାର ଆବଶ୍ୟକ ପଡୁଥିବାବେଳେ କିନ୍ତୁ ଗୋଟିଏ ବି ଅଖା ବସ୍ତା ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ବାଧ୍ୟ ହୋଇ ଚାଷୀ ବଜାରରୁ ଗୋଟା ପିଛା ୧୦ ରୁ ୧୨ ଟଙ୍କା ଦରରେ ଜରି ବସ୍ତା କିଣି ସେଥିରେ ଧାନ ମଣ୍ଡିକୁ ନେଉଛନ୍ତି।
ଏଭଳି ସ୍ଥିତିରେ ଚାଷୀଙ୍କ ନାଁରେ ଆସୁଥିବା ବସ୍ତା କୁଆଡ଼େ ଯାଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଲର୍ସ ଜାଣିଶୁଣି ଚାଷୀଙ୍କୁ ବସ୍ତା ଦେଉନାହାନ୍ତି ନା ସରକାରଙ୍କ ପକ୍ଷରୁ ଆସୁଥିବା ବସ୍ତାକୁ ମିଲର୍ସ ବାହାରେ ବିକ୍ରି କରିଦେଉଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଏମ ଏମ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ବିଭିନ୍ନ ମଣ୍ଡିରେ ମିଲରମାନଙ୍କୁ ଟେକ କରାଯାଇଛି। ସେମାନେ ଚାଷୀଙ୍କୁ ଅଖା ବସ୍ତା ଦେବା କଥା ଯଦି କେଉଁ ମଣ୍ଡିରେ ଚାଷୀ ଅଖା ବସ୍ତା ପାଇ ନଥାନ୍ତି ତେବେ ମିଲରମାନେ ସେମାନଙ୍କୁ ତୁରନ୍ତ ଅଖା ବସ୍ତା ଦେବାର ବ୍ୟବସ୍ଥା କରିବା ପାଇଁ ସେମାନଙ୍କୁ କୁହାଯିବ। ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତ ମୂଲ୍ୟ ଦେବା ସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁଅନ୍ତି ସେଥିପ୍ରତି ଅଧିକାରୀମାନେ ସଜାଗ ରହିଛନ୍ତି।
ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୨୩ହଜାର ୮୫୦ କୁଇଣ୍ଟାଲ ଧାନ କ୍ରୟହେବା ପାଇଁ ଟାର୍ଗେଟ ରହିଛି । ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ୮ଟି ଲ୍ୟାମ୍ପସରେ ୩୬ହଜାର ୮୦୮ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ଯାକ ବ୍ଳକରେ ମୋଟ ୭୦ଟି ମଣ୍ଡିଖୋଲା ଯାଇଛି। ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଚାଷୀ ଙ୍କ ସୁବିଧା ପାଇଁ ସମସ୍ତ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ସହିତ ଆନୁସଂଗିକ ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜିଲ୍ଲାରୁ ଚୋରା ବେପାରୀ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟ କରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗ ରହିବା ପାଇଁ ସମସ୍ତ ଧାନ ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଆନ୍ଧ୍ର ଛତିଶଗଡ଼ ସୀମାନ୍ତ ବର୍ତ୍ତି ଅଞ୍ଚଳ ଗୁଡିକରେ ୭ଟି ଚେକପୋଷ୍ଟ ଖୋଲା ଯାଇ ସିସିଟିଭି ଲଗାଯାଇ ସାତଟି ଭ୍ରାମ୍ୟମାଣ ଯାଞ୍ଚ ଗାଡିର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।