କୋକସରା,୧୦/୦୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ଉପ ମଣ୍ଡିରେ ପେକ୍ସ କର୍ମଚାରୀ ଓ ମିଲ ଏଜେଣ୍ଟଙ୍କ ମଧୁ ଚନ୍ଦ୍ରିକାରେ ମଣ୍ଡି ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ଉତ୍ତେଜନା ଦେଖା ଦେଇଥିଲା । ଗମ୍ଭାରୀଗୁଡା ମଣ୍ଡି ଧାନ ଉଠାଣ ରେ ଅନିୟମିତତା ପ୍ରତିବାଦରେ ମଣ୍ଡି ଗେଟ୍‌ରେ ତାଲା ପକାଇଥିଲେ ଚାଷୀ।

କିଛି  ଚାଷୀ ଧାନ ମଣ୍ଡିକୁ ନନେଇ ସିଧାସଳଖ ମିଲକୁ ନେଇ ଧାନ ଦେଇ ପରବର୍ତ୍ତୀ ସମୟରେ ପେକ୍ସ ରେ ଆସି ଭେଣ୍ଡର କାଟୁଥିବା ନେଇ ଚାଷୀ ଦୁଷ୍ମନ୍ତ ଗହିର,ସୋମବାରୁ ନାଏକ,ଦାମୋଦର ସାଗର,କେଶରୀ ନାଏକ,ଚନ୍ଦ୍ରହାସ୍ୟ ନାଏକ ସମେତ ଅନ୍ୟଚାଷୀ ଅଭିଯୋଗ କରିଛନ୍ତି। ଫଳରେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା କ୍ଷୁଦ୍ର ଚାଷୀମାନେ ଶୀତ କାକରରେ ମାସ ମାସ ଧରି ପଡି ରହୁଥିବା ଅଭିଯୋଗ କରିଛନ୍ତି। ରବିବାର ନିର୍ଦ୍ଧାରିତ ସମୟରେ  ମିଲ ଏଜେଣ୍ଟମାନେ ଆସି ଚାଷୀ ଙ୍କ ଧାନ ଉଠାଣରେ ଅସହଯୋଗ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଚାଷୀମାନେମାନେ ମଣ୍ଡି ସମ୍ମୁଖରେ ତାଲା ମାରି ପ୍ରତିବାଦ କରି ଗେଟ ସମ୍ମୁଖରେ ବସି ରହି ଧାରଣା ଦେଇଥିଲେ। ତେବେ ଦିର୍ଘ ସମୟ ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ।ପେକ୍ସ ସମ୍ପାଦକ ମଧ୍ୟ ଚାଷୀଙ୍କ ଏହି ପ୍ରତିବାଦ ସମୟରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା। ଲଡୁଗାଁ ଓ ଗମ୍ଭାରୀଗୁଡା ମଣ୍ଡି  ପରିଚାଳନା ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ମାନସ ବେଣୁପାଣି ଚାଷୀଙ୍କ ସହ ଆଲୋଚନା କରି ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ସହ ଧାନ  ଉଠାଯିବା କହିବା ପରେ ଚାଷି ମାନେ ମଣ୍ଡି ଗେଟ ରୁ ତାଲା ଖୋଇବା ସହ ଧାରଣା ରୁ ହଟିଥିଲେ। ଏନେଇ ନୋଡାଲ ଅଧିକାରୀ ମାନସ ବେଣୁପାଣିଙ୍କୁ ପଚାରିବାରୁ  ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମେ ଧାନ ଉଠାଣ କରା ଯାଉଛି କିଛି ଅନିୟମିତତା ହେଉନାହିଁ ବୋଲି କହିଛନ୍ତି।

ପେକ୍ସ କର୍ମଚାରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗମ୍ଭାରୀଗୁଡା ମଣ୍ଡି ରୁ ୧୦ ତାରିଖ ସୁଦ୍ଧା ୪୩୭ ଜଣ ଚାଷୀ ଙ୍କ ଠାରୁ ୧୮୫୬୨.୧୩ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ ବର୍ତ୍ତମାନ ମଣ୍ଡି ରେ ୧୪୫ ଚାଷି ଙ୍କ ୬୪୭୩ କ୍ୱିଣ୍ଟାଲ ଧାନ ରହିଛି।