ଭୁବନେଶ୍ୱର/ନୟାଗଡ଼,୨୫/୦୪: ମୁଁ ନ୍ୟାୟ ପାଇଁ ୧୫ ଦିନ ହେଲା ଗୁହାରୀ କରୁଛି ହେଲେ ମୋତେ ନ୍ୟାୟ ମିଳୁନି । ତା ବଦଳରେ ମୋତେ ଆଉ ମୋର ଛୁଆ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି । ଥାନାରେ ମାମଲା ରୁଜୁ ହେଲା । ହେଲେ ତାଙ୍କୁ ଗିରଫ କରାଯାଉନି । କିଛି ପୁଲିସ୍ ଅଧକାରୀ ମୋତେ ମାରିଦେବାକୁ ଧମକ ଦେଉଛନ୍ତି। ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ କେହି ମୋ ଅଭିଯୋଗ ଶୁଣୁ ନାହାନ୍ତି... । ଖଣ୍ଡପଡ଼ାର ପୂର୍ବତନ ଏସ୍‌ଡିପିଓ ମଦନମୋହନ ପ୍ରଧାନଙ୍କ ବିରୋଧରେ ଏକ ଭିଡିଓ ଜାରି କରି ଏମିତି ଅଭିଯୋଗ ପୀଡ଼ିତା ।

ମାମଲା ରଫାଦଫା କରିବା ଲୋଭ ଦେଖାଇ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ରାସଲୀଳା ଘଟଣା ରାଜ୍ୟରେ ଚହଳ ପକାଇଥିଲା । ଜଣେ ମହିଳାଙ୍କୁ ଏସ୍‌ଡିପିଓ ଶ୍ରୀ ପ୍ରଧାନ ଫୋନ୍‌ରେ ବିଭିନ୍ନ ଅରୁଚିକର ଅଶ୍ଳୀଳ କଥା କହୁଥିଲେ । ହ୍ୱାଟ୍ସ ଆପ୍‌ରେ ଅଶ୍ଲୀଳ ମେସେଜ୍ କରୁଥିଲେ । ପୀଡ଼ିତା ଜଣକ ପୁଲିସ ଡିଜି ଓ ମହିଳା କମିଶନରଙ୍କ ଦ୍ୱାରସ୍ଥ ହେବା ପରେ ଏସ୍‌ଡିପିଓଙ୍କ ବିରୋଧରେ ଫତେଗଡ଼ ଥାନାରେ ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ଖାଲି ସେତିକି ନୁହେଁ ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା ।

ଅଧିକ ପଢ଼ନ୍ତୁ :-  ମହିଳାଙ୍କୁ ଅଶ୍ଳୀଳ ମେସେଜ୍, ଶାରୀରିକ ସମ୍ପର୍କ ପାଇଁ ଚାପ ପକାଇବା ପଡ଼ିଲା ମହଙ୍ଗା, ବଦଳିଲେ ଖଣ୍ଡପଡ଼ା ଏସ୍‌ଡିପିଓ...

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କ ବିରୋଧାର ପୁଲିସ୍ ମାମଲା ରୁଜୁ କରି କାମ ସାରି ଦେଇଛି । ସେ ଅଭିଯୁକ୍ତ ଜଣଙ୍କ ମୋର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛନ୍ତି । ଏମିତିକି ଶ୍ରୀ ପ୍ରଧାନ ଯୋଜନା କରି ମୋତେ ମାରିଦେବାକୁ ଯୋଜନା କରୁଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ମୋତେ ମାରି ଦେବା ପରେ ମୋର ସ୍ୱାମୀ ଆଉ ଛୁଆଁଙ୍କ ଜୀବନ ସରକାରଙ୍କ ହାତରେ । ମୁଖ୍ୟମନ୍ତ୍ରୀ ଆଉ ଡିଜି ସାରଙ୍କୁ ମୋର ଏତିକି ଶେଷ ଅନୁରୋଧ ମୋ ସ୍ୱାମୀ ଆଉ ଛୁଆଙ୍କୁ ସୁରକ୍ଷା ଦେବେ ବୋଲି ମହିଳା ଜଣଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି । “ମୁଁ ବଞ୍ଚିଥିବା ବେଳେ ନ୍ୟାୟ ଆଉ ସୁରକ୍ଷା ମାଗିଲେ ମୋତେ ଯଦି ମିଳୁନି । ମୁଁ ମଲା ପରେ ମୋ ପାଇଁ କେହି କ୍ୟାଣ୍ଡେଲ ଯାତ୍ରା କରିବାର ଆବଶ୍ୟକତା ନାହିଁ” ବୋଲି ସେ କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନୟାଗଡ଼ ପୁଲିସ୍କୁ ଅଡୁଆରେ ପକାଇଛି ।