ରାୟଗଡ଼(ଗଜପତି)୨୪/୭ : ଆନ୍ଧ୍ରରେ ଧାନ ରୁଆ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ମହେନ୍ଦ୍ରତନୟା ନଦୀରେ ଭାସି ଗୁରୁବାର ଜନୈକ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ମୃତକ ହେଲେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧୀନ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର ଗମ୍ଭୀର ଶବଙ୍କ ପତ୍ନୀ ସୁବାସିନୀ ଶବର (୪୮)। ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବୃଦ୍ଧି ପାଇ ପ୍ରଖର ସ୍ରୋତ ଥିବାବେଳେ ଗାଁର କିଛି ଜଣ ମହିଳାଙ୍କ ସହ ହାତ ଧରାଧରି ହୋଇ ନଦୀ ପାର ହେଉଥିବା ସମୟରେ ସେ ଖସି ଭାସିଯାଇ ମୃତ୍ୟୁ ହୋଇଥିବା ସାଥି ମହିଳା ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ପ୍ରକାଶ ଯେ, ରାୟଗଡ଼ ବ୍ଲକର ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଉକ୍ତ ଗ୍ରାମର ସୁବାସିନୀ ଶବରଙ୍କ ସମେତ ୫ଜଣ ମହିଳା ଗୁରୁବାର ସକାଳୁ ଦିନ ମଜୁରି ଖଟିବା ପାଇଁ ଆନ୍ଧ୍ର ପ୍ରଦେଶର ସାବା ଗ୍ରାମକୁ ଯାଇଥିଲେ I ଦିନ ମଜୁରି ଖଟି ସନ୍ଧ୍ୟାରେ ଘରକୁ ଫେରିବାବେଳେ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ନଦୀ ପାର ହୋଇଯାଉଥିବାବେଳେ ଏ ପ୍ରକାର ଅଘଟଣ ଘଟି ଯାଇଥିଲା I ଗାଁ ଲୋକଙ୍କୁ ଉକ୍ତ ମହିଳାମାନେ ଖବର ଦେବା ପରେ ବହୁ ସମୟ ଖୋଜାଖୋଜି କରିବା ପରେ ଏକ ପଥର କଡ଼ରେ ଲାଗିଥିଲା I ତାଙ୍କୁ ଉଦ୍ଧାର କରିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ତାଙ୍କର ଏକ ମାତ୍ର ଝିଅ ରେବତୀ ଶବରକୁ ଉଭୟେ ସ୍ୱାମୀ ସ୍ତ୍ରୀ ଦିନ ମଜୁରି ଭାବେ କାମ କରି ଝିଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଏକ ସ୍ଵପ୍ନ ଦେଖି ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ (SKCG)ରେ ପାଠ ପଢୁଥିବାବେଳେ ମାଆ ଦେଖିଥିବା ସ୍ଵପ୍ନ ଅଧାରେ ରହିଗଲା ବୋଲି ଅଞ୍ଚଳବାସୀ କହିଛନ୍ତି l ଉକ୍ତ ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି, ବରିଷ୍ଠ ବିଜେଡ଼ି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ୟl ସୁମିତ୍ରା ଶବର ଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି l 

ସୂଚନାଯୋଗ୍ୟ ଯେ, ୨୦୧୮ସେ କାଳରାତ୍ରୀ ତିତିଲି ବାତ୍ୟାରେ ଉକ୍ତ ମହେନ୍ଦ୍ର ତନୟା ନଦୀରେ ପ୍ରାୟ ୧୬ ଜଣ ଭାସି ମୃତ୍ୟୁ ହୋଇଥିବାବେଳେ ଏ ନେଇ ଅଞ୍ଚଳବାସୀ ବେଙ୍ଗା ସାହିଠାରୁ ସାଙ୍କୁରୁଡା ଗ୍ରାମକୁ ବ୍ରିଜ ତିଆରି କରିବା ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇବା ପରେ ମଧ୍ଯ କେହି ଶୁଣିଲେ ନାହିଁ l ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଶୂନ୍ୟରେ ଆଉ ଏକ ଜୀବନ ଚାଲିଗଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l