କୋଣାର୍କ,୧୫।୪: ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟୋଦୟ ଦର୍ଶନ ସହ ମନ୍ଦିର ପ୍ରାଙ୍ଗଣରେ ପ୍ରତିଯୋଗୀ ମାନଙ୍କ ଯୋଗାଭ୍ୟାସ। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ନିମନ୍ତେ ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀମାନେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିବା ସହ ସୂର୍ଯ୍ୟମନ୍ଦିର ପରିସରରେ ଯୋଗାଭ୍ୟାସ କରିଛନ୍ତି ।
ଓଡ଼ିଶା ଗସ୍ତରେ ଆସିଥିବା ଫେମିନା ମିସ୍ ଇଣ୍ଡିଆର ପ୍ରତିଯୋଗୀ ଚନ୍ଦ୍ରଭାଗା ବେଳାଭୂମିରେ ପହଞ୍ଚିଥିଲେ। ସେଠାରେ ସମୁଦ୍ରର ଶୀତଳ ପବନ ଏବଂ ମନୋରମ ପରିବେଶ ମଧ୍ୟରେ ସୂର୍ଯ୍ୟୋଦୟର ଦୃଶ୍ୟ ଉପଭୋଗ କରି ବିଭୋର ହୋଇଯାଇଥିଲେ। ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ସହ ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଚନ୍ଦ୍ରଭାଗା ପରିଦର୍ଶନ ପରେ ସମସ୍ତେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପୃଷ୍ଠଭୂମିରେ ସେମାନେ ଯୋଗାଭ୍ୟାସ କରି ଶାରୀରିକ ଓ ମାନସିକ ଶାନ୍ତିର ବାର୍ତ୍ତା ଦେଇଥିଲେ। ଏହାପରେ ସେମାନେ ଅର୍କକ୍ଷେତ୍ରର କୋଣାର୍କ ମନ୍ଦିର ବୁଲି ଦେଖିବା ସହ ଏହାର ସ୍ଥାପତ୍ୟ କଳା ଓ ସମୃଦ୍ଧ ଇତିହାସ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିଯୋଗୀ ମାନଙ୍କୁ ସ୍ୱାଗତ କରାଯାଇଥିଲା ।