ମୁମ୍ବାଇ,୯/୬ : ଫୁଟବଲର ଫିଫା ବିଶ୍ବକପ୍ ୨୦୨୬ର ଆରମ୍ଭ ୧୨ଜୁନରୁ ହେବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ତା’ର ଟ୍ରଫିକୁ ନେଇ ଚର୍ଚ୍ଚା ବହୁ ଜୋରରେ ଲାଗି ରହିଛି । କେତେକ ଫ୍ୟାନ୍ସ ଟ୍ରଫିର ମୂଲ୍ୟ ଜାଣିବାକୁ ଚାହୁଁଥିବାବେଳେ କେତେ ଜଣ ଜାଣିବାକୁ ଚାହୁଁଛନ୍ତି ଟ୍ରଫି କେଉଁ ଧାତୁରେ ନିର୍ମିତ ହୋଇଛି । ଆସନ୍ତୁ ଜାଣିବା ଫିଫା ବିଶ୍ବକପର ଟ୍ରଫି କିମ୍ବା କ୍ରିକେଟ ବିଶ୍ବକପର ଟ୍ରଫି ମଧ୍ୟରୁ କିଏ ଅଧିକ ମହଙ୍ଗା ଅଟେ ।
ପ୍ରକାଶ ଯେ, ଫିଫା ବିଶ୍ବକପର ବର୍ତ୍ତମାନ ଟ୍ରଫି କେବଳ ଦିନିକିଆ ବିଶ୍ବକପ୍ ନୁହେଁ ବରଂ ବିଶ୍ବରେ ହେଉଥିବା କୌଣସି ବି ଖେଳର ଟ୍ରଫିରୁ ମହଙ୍ଗା ଅଟେ । ଖବର ଅନୁସାରେ କ୍ରିକେଟ ବିଶ୍ବକପର ଟ୍ରଫି ବିଶ୍ବର ସବୁଠାରୁ ମହଙ୍ଗା ଖେଳ ଟ୍ରଫିରୁ ୭ମ ସ୍ଥାନରେ ଅଛି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ୧୮କ୍ୟାରେଟ ସୁନାରେ ନିର୍ମିତ ୬କିଲୋଗ୍ରାମ ଫିଫା ଟ୍ରଫିର ମୂଲ୍ୟ ପ୍ରାୟ ୨୦ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୯୦କୋଟି) ଅଟେ । ମାତ୍ର ଫିଫା ତରଫରୁ ଟ୍ରଫିର ମୂଲ୍ୟକୁ ନେଇ କୌଣସି ପ୍ରକାରର ଅଫିସିଆଲ ସୂଚନା ଦିଆଯାଇନାହିଁ।
୬୦ସେଣ୍ଟିମିଟର ଲମ୍ବା ଦିନିକିଆ ବିଶ୍ବକପର ଟ୍ରଫି ସୁନା ଏବଂ ଚାନ୍ଦିରେ ନିର୍ମିତ ହୋଇଥାଏ । ଟ୍ରଫି ଉପରେ ରଖାଯାଇଥିବା ଗ୍ଲୋବ୍ ସୁନାରେ ହୋଇଥାଏ । ସୂଚନା ମୁତାବକ ଟ୍ରଫିର ଓଜନ ପ୍ରାୟ ୧୧କିଲୋଗ୍ରାମ ହୋଇଥାଏ । ଏହାର ମୂଲ୍ୟ ପ୍ରାୟ ୩୦ହଜାର ଆମେରିକୀୟ ଡଲାର ଅର୍ଥାତ(୨୫ଲକ୍ଷ ଟଙ୍କା) ଅଟେ । ଆଇସିସି ତରଫରୁ ଏହାର ମୂଲ୍ୟକୁ ନେଇ କୌଣସି ଅଫିସିଆଲ୍ ସୂଚନା ଦିଆଯାଇ ନାହିଁ। ଫୁଟବଲର ଫିଫା ବିଶ୍ବକପ ଏବଂ କ୍ରିକେଟର ଦିନିକିଆ ବିଶ୍ବକପର ତାଜ୍ ଜିତିଥିବା ଟିମଙ୍କୁ ପ୍ରକୃତ ଟ୍ରଫି ଦିଆଯାଇନଥାଏ । ଉଭୟ ଖେଳର ବିଜେତା ଟିମଙ୍କୁ ପ୍ରତିବିମ୍ବ ଟ୍ରଫି ଦିଆଯାଇଥାଏ । ଫିଫାର ଅସଲି ଟ୍ରଫି ଜ୍ୟୁରିଖ ସ୍ଥିତ ମୁଖ୍ୟାଳୟରେ ରଖାଯାଇାଏ । ସେହିଭଳି ଦିନିକିଆ ବିଶ୍ବକପର ଟ୍ରଫି ଦୁବାଇ ସ୍ଥିତ ମ୍ୟୁଜିୟମରେ ରଖାଯାଇଥାଏ ।