ନୟାଗଡ଼, ୧/୮ : ହାତୀ ଆକ୍ରମଣରେ ୬ବନକର୍ମଚାରୀ ଆହତ । ନୟାଗଡ ଜିଲ୍ଲା ଶରଣକୂଳ ରେଞ୍ଜ ଅଧିନ ଗୋଛା ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୨ ଫରେଷ୍ଟଗାର୍ଡ଼ ଗୁରୁତର ଥିବାବେଳେ ୪ଜଣ ଟ୍ରାକିଙ୍ଗ୍ ସ୍କ୍ବାର୍ଡ ଆହତ । ଦୁଇ ଗୁରୁତର ଫରେଷ୍ଟଗାର୍ଡଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ଫରେଷ୍ଟଗାର୍ଡ ହେଲେ ନୀଳମଣି ଦଳେଇ ଏବଂ ପ୍ରଶାନ୍ତୀ ସାହୁ ।
ରଣପୁର ରେଞ୍ଜ ଅଞ୍ଚଳରୁ କିଛି ହାତୀ ଗୋଛା ଜଙ୍ଗଲ ଭିତରକୁ ଆସିଥିବା ଖବରପାଇ ଶରଣକୂଳ ରେଞ୍ଜର ଦୁଇ ଜଣ ଫରେଷ୍ଟର୍ ଏବଂ ୬ଜଣ ସ୍କ୍ବାର୍ଡ ଯୁବକ ହାତୀଙ୍କ ଗତିବିଧି ଜାଣିବା ପାଇଁ ଆଜି ସକାଳେ ଜଙ୍ଗଲ ଭିତରକୁ ଯାଇଥିଲେ । ଜଙ୍ଗଲ ଭିତରେ ଗୋଟିଏ ହାତୀ ହଠାତ୍ ସାମ୍ନାକୁ ଆସିଯିବାରୁ ସମସ୍ତ କର୍ମଚାରୀ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ହାତୀଟି ପ୍ରଶାନ୍ତୀଙ୍କ ଉପରେ ପାଦ ପକାଇ ଦେଇଥିବା ଜଣାପଡ଼ିଛି । ତାଙ୍କର ଛାତିରେ ଗଭୀର ଆଘାତ ଲାଗିଛି ।
ସେହିପରି ନୀଳମଣିଙ୍କ କାନ୍ଧ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ଅନ୍ଯ ଟ୍ରାକିଙ୍ଗ ସ୍କ୍ବାର୍ଡ ଯୁବକମାନେ ଦୌଡୁଥିବାବେଳେ ପଡ଼ିଯାଇ ଖଣ୍ଡିଆ ଖାବରା ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ଉପରେ ନଜର ରଖାଯାଇଛି ବୋଲି ଡିଏଫଓ କହିଛନ୍ତି ।