ଭୁବନେଶ୍ୱର, ୨୪/୦୨: କଳିଙ୍ଗ  ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସୋମବାର ଘରୋଇ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ ।  ସେମିତି ପୁରୁଷରେ ଜର୍ମାନୀ-ଆୟର୍ଲାଣ୍ଡ  ଏବଂ ମହିଳାରେ ଭାରତ ଓ ନେଦରଲାଣ୍ଡସ  ମଧ୍ୟରେ ଆଉ ୨ଟି ମ୍ୟାଚ୍‌ ଖେଳାଯିବ । 

ଭାରତ-ଇଂଲଣ୍ଡ(ପୁରୁଷ): ପ୍ରୋ ଲିଗର ସମସ୍ତ ମ୍ୟାଚ୍‌ ଦର୍ଶକଙ୍କ ପାଇଁ  ମାଗଣା ଦେଖିବାର ସୁବିଧା କରାଯାଇଛି ।  ଘରୋଇ ଭେନ୍ୟୁରେ ଭାରତ ସିଜନରେ  ଶେଷ ଦୁଇ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ  ଖେଳିବ । ସୋମବାର ପ୍ରଥମ ଚରଣ  ରହିଛି । ପୂର୍ବରୁ ଘରୋଇ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଡବଲ ଏବଂ ଜର୍ମାନୀ ଓ ସ୍ପେନ  ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌  ଜିତିଛି । ଫଳରେ ଦଳ ଚଳିତ ସିଜନରେ  ୬ଟିରୁ ୪ଟି ବିଜୟ ସହ ମୋଟ୍‌ ୧୨ ପଏଣ୍ଟ  ପାଇ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଇଂଲଣ୍ଡ ଗୋଟିଏ ପଏଣ୍ଟ ସହ ଭାରତଠୁ  ଆଗରେ ରହିଛି । ଉଭୟ ସିଜନରେ ସମାନ  ସଂଖ୍ୟକ ମ୍ୟାଚ୍‌ ଖେଳିଛନ୍ତି । ସୋମବାର ଭାରତ ପୂର୍ବ ପ୍ରଦର୍ଶନ ଜାରି ରଖି ପୂରା ପଏଣ୍ଟ  ହାସଲ କରିବାକୁ ଉଦ୍ୟମ କରିବ । ସେମିତି  ଘରୋଇ ଦଳ ବିପକ୍ଷରେ ଇଂଲଣ୍ଡ ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ । 

ଭାରତ-ନେଦରଲାଣ୍ଡସ (ମହିଳା): ମହିଳା ବର୍ଗରେ ଭାରତର  ପ୍ରଦର୍ଶନ ସେତେଟା ଉନ୍ନତ ନାହିଁ । ଦଳ ଏର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ ସିଧାସଳଖ ୨ଟି ବିଜୟ  ସହ ୭ ପଏଣ୍ଟ ପାଇ ଟେବୁଲରେ ସପ୍ତମ  ସ୍ଥାନରେ ରହିଛି ।  ସୋମବାର  ନେଦରଲାଣ୍ଡସକୁ ଭେଟିବ  । ଭ୍ରମଣକାରୀ ଦଳ ବେଶ ଶକ୍ତିଶାଳୀ ।  ପୂର୍ବରୁ ଦଳ ୬ଟି  ମ୍ୟାଚରୁ ୫ଟି ବିଜୟ ସହ ୧୫ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଭ୍ରମଣକାରୀ ଦଳକୁ ପ୍ରତିହତ କରିବାକୁ  ହେଲେ ଘରୋଇ ଦଳକୁ ସବୁ ବିଭାଗରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ ।