- ସେପଟେ ଟାରିଫ୍କୁ ନେଇ ଜାରି ରହିଛି ଭାରତ-ୟୁଏସ୍ ବିବାଦ
- ଏପଟେ ଭାରତକୁ ‘ଉଡ଼ନ୍ତା ଟ୍ୟାଙ୍କ୍’ ଦେଲା ୟୁଏସ୍
- ଖୁବ୍ ମାରାତ୍ମକ ଏହି AH-64E ଅପାଚେ ଫାଇଟର ହେଲିକପ୍ଟର
- ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା
- ପାକିସ୍ତାନକୁ ଚକମା ଦେବ ଭାରତ
ନୂଆଦିଲ୍ଲୀ : ଭାରତୀୟ ସେନାକୁ ଆମେରିକାରୁ ଆଉ ତିନୋଟି AH-64E ଅପାଚେ ଫାଇଟର ହେଲିକପ୍ଟରର ଅନ୍ତିମ ବ୍ୟାଚ୍ ମିଳି ସାରିଛି। ଏହାସହ ରାଜସ୍ଥାନର ଯୋଧପୁର ସ୍ଥିତ ୪୫୧ ଆର୍ମି ଆଭିଏସନ ସ୍କ୍ୱାଡ୍ରନରେ ଛଅଟି ହେଲିକପ୍ଟରର ଫ୍ଲିଟ୍ ( Fleet) ପୂରା ହୋଇ ଯାଇଛି। ମଙ୍ଗଳବାର ଦିନ ତିନୋଟି ଅପାଚେ ଫାଇଟର ହେଲିକପ୍ଟର ରାଜଧାନୀ ନୂଆ ଦିଲ୍ଲୀ ନିକଟ ଗାଜିଆବାଦର ହିଣ୍ଡନ ଆଡ୍ଡାରେ ଅବତରଣ କରିଥିଲା। ଆମେରିକା ଏହି ସପ୍ଲାଇ ଏମିତି ସମୟରେ କରିଛି, ଯେତେବେଳେ ଟାରିଫ୍ ମାମଲାରେ ଦୁଇ ଦେଶ ମଧ୍ୟରେ ମାହୋଲ ବିବାଦପୂର୍ଣ୍ଣ ରହିଛି।
ସମସ୍ତ ଛଅଟି ଉନ୍ନତ ଫାଇଟର ହେଲିକପ୍ଟର ଯୋଧପୁରରେ ମୁତୟନ କରାଯିବ, ଯେଉଁଥିରୁ ପାକିସ୍ତାନ ସୀମାରେ ସେନାର ଆକ୍ରମଣାତ୍ମକ କ୍ଷମତା ଦୃଢ ହେବ। ଏହା ବିଶ୍ୱର ସବୁଠୁ ଆଧୁନିକ ଆଟାକିଂ ହେଲିକପ୍ଟର, ଯାହାକୁ ଏୟାରରେ ଉଡ଼ୁଥିବା ଟ୍ୟାଙ୍କ୍ କୁହାଯାଏ।
ଅପାଚେ ହେଲିକପ୍ଟରର ଅନୁବନ୍ଧ ଫେବ୍ରୁଆରୀ ୨୦୨୦ରେ ହୋଇଥିଲା, ଯେଉଁଥିରୁ ପ୍ରଥମ ତିନୋଟି ହେଲିକପ୍ଟରର ବ୍ୟାଚ୍ ପାଖାପାଖି ୧୫ ମାସର ବିଳମ୍ୱ ପରେ ଜୁଲାଇରେ ଭାରତ ପହଞ୍ଚି ଥିଲା। ଅପାଚେ ହେଲିକପ୍ଟରକୁ ସେନାର ଆକ୍ରମଣ କ୍ଷମତା ଭାବେ ପଶ୍ଚିମୀ ସୀମାରେ ମୁତୟନ କରାଯାଇଛି। ଏହା ପୂର୍ବରୁ,ସୂତ୍ର ସଙ୍କେତ ଦେଇଥିଲା ଯେ, ଅପାଚେ ହେଲିକପ୍ଟରର ଅନ୍ତିମ ବ୍ୟାଚକୁ ଭାରତ ଆଣିବା ପରେ ଆସେମ୍ୱଲ ଓ ନିରୀକ୍ଷଣ କରାଯିବ।
ଏହା ଆମେରିକୀୟ ସେନାର ଆକ୍ରମଣ ୟୁନିଟ୍ର ଏକ ପ୍ରମୁଖ ହେଲିକପ୍ଟର ଏବଂ ଭାରତ ସହ ଅନେକ ସହଯୋଗ ଦେଶ ଦ୍ୱାରା ମଧ୍ୟ ଏହାକୁ ବ୍ୟବହାର କରାଯାଉଛି। ହେଲଫାୟର ମିସାଇଲ , ୭୦ ମିମି ରକେଟ୍ ଓ ୩୦ ମିନି ଚେନ ଗନ୍ ଯୁକ୍ତ ଏହି ହେଲିକପ୍ଟର ଶତ୍ରୁର ଆର୍ମଡ୍ ଭାଇକଲ୍ସ ,ବଙ୍କର ଓ ବିମାନ ସୁରକ୍ଷା ସିଷ୍ଟମକୁ ନଷ୍ଟ କରିପାରେ। ଉନ୍ନତ ସେନ୍ସର , ରାତ୍ରି-ଲଢେଇର କ୍ଷମତା ଓ ନେଟୱର୍କ ଯୁକ୍ତ ଯୁଦ୍ଧ ସିଷ୍ଟମ ଏହାକୁ ଉଚ୍ଚ ବିପଦପୂର୍ଣ୍ଣ ଓ ପାହାଡିଆ ଯୁଦ୍ଧ କ୍ଷେତ୍ରରେ ଭୟଙ୍କର ସାବ୍ୟସ୍ତ ହୋଇଥାଏ।