ଭୁବନେଶ୍ୱର, ୨୫/୦୫: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଟି.କେ ଫୋମସ୍ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନିକାଣ୍ଡ । ରାତି ୧୨ଟାରୁ ସକାଳ ୬ଟା ଯାଏଁ ହୁତୁହୁତୁ ହୋଇ ଜଳିଲା ଗଦି ତିଆରି କାରଖାନା । ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ବିଗିଡ଼ିବାରୁ ରୋବୋଟ୍ ନିୟୋଜିତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ମୂଲ୍ୟବାନ ଗଦି, ଗଦି ତିଆରି ସରଞ୍ଜାମ ସହ ମେସିନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପାଖାପାଖି ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଟି.କେ ଫୋମସ୍ ପ୍ରାଇଭେଟ୍ ଲିମିଟେଡ଼ରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ କାରଖାନାରେ ନିଆଁ ଲାଗିଥିଲା । ଏହି ସମୟରେ କମ୍ପାନି ଆଉଟ୍ ହାଉସରେ ଥିବା କର୍ମଚାରୀ ଶୋଇ ପଡ଼ିଥିଲେ । ଫଳରେ ନିଆଁ ସମଗ୍ର ୟୁନିଟ୍କୁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପରେ କାରଖାନାର ଚାରିପଟ କାନ୍ଥ ଫାଟିବା ସହ ଗଦି ଓ ଗଦି ତିଆରି ସରଞ୍ଜାମ, ମେସିନ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ସେକ୍ରେଟେରିଏଟ୍, କଟକ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସ୍ଥିତି ଅଧିକ ବିଗିଡ଼ିବାରୁ ନିଆଁ ଲିଭାଇବା ପାଇଁ ରୋବୋଟ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ରୋବୋଟ୍ ଏବଂ ଅଗ୍ନିଶମ ବାହିନୀର ମିଳିତ ଚେଷ୍ଟାରେ ଦୀର୍ଘ ୬ ଘଣ୍ଟାର ପରେ ନିଆଁକୁ ଆୟତ୍ତ କରାଯାଇଛି ।
ତେବେ କାରଖାନାର ମାଲିକଙ୍କ କହିବା ଅନୁଯାୟୀ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି ଏବଂ ଏଥିରେ ପାଖାପାଖି ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିଆଁ ଲାଗିବା କାରଣରୁ କମ୍ପାନୀରେ ଥିବା ସମସ୍ତ ଜିନିଷ ସହ ମେସିନ୍ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି ।