ପାରାଦୀପ, ୧୪/୦୭ : ପାରାଦୀପର ବଡପଡିଆରେ ଥିବା ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ। ୫ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତି ସାଢେ ୩ଟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି।
ପାରାଦୀପ ବନ୍ଦର ତରଫରୁ ପରିବା ଦୋକାନ ପାଇଁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆଯାଇଥିବା ବେଳେ ପ୍ରତ୍ୟେକ ବ୍ୟବସାୟୀ ପଲିଥିନ ଓ ପାଲ ବାନ୍ଧି ପରିବା ବ୍ୟବସାୟ କରିଥାନ୍ତି। ରବିବାର ବିଳମ୍ବିତ ରାତିରେ କୋୖଣସି କାରଣରୁ ପଲିଥିନ ପାଲରେ ନିଆଁ ଲାଗି ୫ଟି ଦୋକାନ ଜଳି ଯାଇଛି। ଦୋକାନୀ ବାବୁନି ସାହୁ, ଚାବୁନି ସାହୁ, ଜୟଦେବ ମହାପାତ୍ର,ମଣ୍ଟୁ ନାୟକ,ସୁରେନ୍ଦ୍ର ସାହୁଙ୍କ ଦୋକାନ ପୋଡ଼ିଯାଇଛି। ଦୋକାନରେ ଥିବା ପନିପରିବା, କ୍ୟାସ ବାକ୍ସ, ଇଲେକଟ୍ରୋନିକ୍ସ କମ୍ପ୍ୟୁଟର କଣ୍ଟା,ପରିବା,ଫ୍ୟାନ ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ପାରାଦୀପ ଫୋର୍ଟ ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ତେବେ ଅସ୍ଥାୟୀ ପରିବା ଦୋକାନ ପିଣ୍ଡିରେ କୋୖଣସି ବିଦ୍ୟୁତ ସଂଯୋଗ ନଥିବା ବେଳେ କେଉଁ କାରଣରୁ ନିଆଁ ଲାଗଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ମଶା ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସକାଳେ ପାରାଦୀପ ବନ୍ଦର ବଣିକ ସଂଘ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ଵାଇଁ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି। ପ୍ରକାଶ ଥାଉକି, ବଡ଼ପଡିଆ ପରିବା ମାର୍କେଟରେ ସବୁ ଜିନିଷ ମିଳିଥାଏ। ପାରାଦୀପ ପୌରାଞ୍ଚଳର ୱାର୍ଡ଼ ନମ୍ବର ୧ ଠାରୁ ୧୯ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଲୋକେ ସେହି ପରିବା ମାର୍କେଟ ଉପରେ ନିର୍ଭରଶୀଳ।