ଭୁବନେଶ୍ୱର, ୧୫/୧୨ : ୟୁନିଟ୍ ୱାନ୍ ହାଟ ପଛପଟେ ଥିବା ପରିବା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ୱିତ ରାତିରେ ଜଳିଗଲା ଚାରି ଗୋଦାମ । ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ପନିପରିବା, କମ୍ପ୍ୟୁଟର, ଟଙ୍କା, ଅସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୧ଟା ୩୦ରୁ ୧୨ଟା ମଧ୍ୟରେ ଏକ ନମ୍ବର ହାଟ ପଛ ପଟେ ଥିବା ପନିପରିବା ଗୋଦାମରେ ନିଆଁ ଲାଗି ଯାଇଥିବାରୁ ଧୁଆଁ ବାହାରୁ ଥିବା ଲୋକେ ଦେଖିଥିଲେ । ଚାହୁଁ ଚାହୁଁ ହଠାତ ନିଆଁ ଅତି ଜୋରରେ ଜଳିବାକୁ ଲାଗିଥିଲା । ଗୋଦାମର ଉପରେ ଲାଗିଥିବା ପ୍ଲାଷ୍ଟିକ ଜାରି ବାଉଁଶ ଗୁଡିକରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଏହାପରେ ଗ୍ୟାସ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ନିଆଁ ଗୋଟିଏ ଗୋଦାମରୁ ଆଉ ଏକ ଗୋଦାମକୁ ଲାଗି ଯାଇଥିଲା । ଏହିଭଳି ଭାବେ ଚାରିଟି ଗୋଦାମକୁ ଏହି ନିଆଁ ବ୍ୟାପି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଉଭୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଛି ।