ରାଞ୍ଚି,୦୮/୦୮: ବାର୍‌ରେ ଭୋଜପୁରୀ ଗୀତ ଲାଗିଲାନି ବୋଲି ହଙ୍ଗାମା । ଢାଏ ଢାଏ ଫୁଟିଲା ଗୁଳି । ପୂର୍ବତନ ରାଜନେତାଙ୍କ ସୁରକ୍ଷାକର୍ମୀଙ୍କ ଉତ୍ପାତ । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର କୋତବାଲୀ ଥାନା ହରମୁ ରୋଡ୍‌ରେ ଗୌଶାଳା ଛକ ନିକଟରେ ଏହି ହଙ୍ଗାମା ହୋଇଛି । ଗ୍ରାଭିଟି ଲଞ୍ଚ ଆଣ୍ଡ ବାର୍‌ରେ ଭୋଜପୁରୀ ଗୀତ ବାଜିଲାନି ବୋଲି ଗୁଳି ଫୁଟିଛି । ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରାହୁଲ ସିଂ ପୂର୍ବରୁ ଜଣେ ରାଜନେତାଙ୍କ ବଡିଗାର୍ଡ ଭାବରେ କାମ କରିଛନ୍ତି । ସେ ବର୍ତ୍ତମାନ ପିଏଚଡି କଲୋନୀ ହନୁ ଡୋରଣ୍ଡାରେ ରହୁଛନ୍ତି । 

ସୂଚନା ମୁତାବକ, ରାହୁଲ ଦବଙ୍ଗଗିରି ଦେଖାଇ ବାର୍‌ରେ ଭୋଜପୁରୀ ଗୀତ ଲଗାଇବାକୁ କହିଥିଲେ । ଯାହାକୁ କିଛି ଲୋକ ମନା କରିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏତିକି ବେଳେ ରାହୁଲ ବନ୍ଧୁକ ବାହାର କରି ଧମକାଇବା ଆରମ୍ଭ କରିଥିଲା । ଏହା ଦେଖି ବାର୍‌ର ଷ୍ଟାଫ୍ ପୁଲିସକୁ ଖବର ଦେଇଥିଲେ । ହେଲେ ପୁଲିସ ବାର୍‌ରେ ପହଞ୍ଚିବା ପୂର୍ବରୁ ରାହୁଲ ଫାୟାରିଂ କରିଦେଇଥିଲା । ଯାହା ପରେ ବାର୍‌ରେ ଧାଁ ଦୌଡ଼ ହୋଇଥିଲା ଏବଂ ଲୋକେ ବାର୍‌ରୁ ପଳାଇଥିଲେ । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାହୁଲ ସିଂକୁ ଗିରଫ କରିଥିଲା । ରାହୁଲ ପାଖରୁ ଗୋଟିଏ ବନ୍ଧୁକ ଏବଂ ୨୧ ରାଉଣ୍ଡ ଗୁଳି ସହ ଘଟଣା ସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ଗୁଳି ଚଳାଇଥିବା ସ୍ୱୀକାର କରିଥିଲା । ସେପଟେ ବାର୍ ମ୍ୟାନେଜର୍ ଆଶିଷ ସିନ୍ହାଙ୍କ ଲିଖିତ ବୟାନ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ଆର୍ମ୍ସ ଆକ୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ।