ନୂଆଦିଲ୍ଲୀ,୧୭/୧୦: ଭାରତ ପାଇଁ ଆଜି ଏକ ବଡ଼ ଦିନ । ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇ ସ୍ୱଦେଶୀ ନିର୍ମିତ ତେଜସ୍ ଏମ୍ଏକ୧ ଲଢୁଆ ବିମାନ ନାସିକର ହାଲକୁ ପ୍ରଥମ ଉଡ଼ାଣ ଭରିଛି । ଭାରତୀୟ ବାୟୁସେନାକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍ ମାର୍କ-୧ ଏ ଯୋଗାଣକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ହାଲ୍ ପକ୍ଷରୁ ନାସିକ ଠାରେ ତୃତୀୟ ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି । ନାସିକ୍ର ଓଝର ଠାରେ ପ୍ରତିଷ୍ଠା କରାଯାଇଥିବା ଏହି କାରଖାନାରେ ନିର୍ମିତ ପ୍ରଥମ ହାଲୁକା ଲଢ଼ୁଆ ବିମାନ ଆଜି ପ୍ରଥମ ଉଡ଼ାଣ କରିଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିନ୍ଦୁସ୍ତାନ ଏରୋନଟିକ୍ସର ତେଜସ LCA MK-1A ଲଢ଼ୁଆ ବିମାନର ଉଦଘାଟନ କରିଛନ୍ତି । LCA MK-1A ପାଇଁ ତୃତୀୟ ଉତ୍ପାଦନ ଲାଇନ ଏବଂ HTT-40 ବିମାନ ପାଇଁ ଦ୍ୱିତୀୟ ଉତ୍ପାଦନ ଲାଇନର ମଧ୍ୟ ଉଦଘାଟନ କରିଛନ୍ତି । ତେଜସ MK-1A ନାସିକରୁ ପ୍ରଥମ ଥର ପାଇଁ ଉଡ଼ାଣ ଭରିଛି। ଏହି ଉତ୍ପାଦନ ଭାରତୀୟ ବାୟୁସେନାର ସାମଗ୍ରିକ ଶକ୍ତି ଏବଂ କ୍ଷମତାକୁ ବୃଦ୍ଧି କରିବ। ଏହି ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ ଦେଖି ଛାତି ଗର୍ବରେ ଫୁଲି ଉଠିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବେଙ୍ଗାଲୁରୁରେ ଥିବା ଦୁଇଟି ପ୍ଲାଣ୍ଟରେ ଲଢ଼ୁଆ ବିମାନ ତେଜସ ପୂର୍ବରୁ ତିଆରି କରାଯାଉଛି, ଯାହା ବାର୍ଷିକ ୧୬ ଟି ବିମାନ ତିଆରି କରୁଛି । ୧୫୦ କୋଟିରୁ ଅଧିକ ନିବେଶରେ ପ୍ରତିଷ୍ଠିତ ନାସିକରେ ଏହି ପ୍ଲାଣ୍ଟ, ବାର୍ଷିକ ୮ରୁ ଅଧିକ ବିମାନ ଯୋଗାଇବ, ଯାହା HALର ଉତ୍ପାଦନ କ୍ଷମତାକୁ ପ୍ରତିବର୍ଷ ୨୪ଟିକୁ ବୃଦ୍ଧି କରିବ । ତେଜସ୍ LCA Mk1A ହେଉଛି ଏକ ଅଧିକ ଉନ୍ନତ, ବହୁ-ଭୂମିକାର୍ଯ୍ୟ ସମ୍ପନ୍ନ ଯୁଦ୍ଧ ବିମାନ ଯାହାକୁ ଭାରତୀୟ ବାୟୁସେନାର MiG-21 ବିମାନକୁ ବଦଳାଇବା ପାଇଁ ଡିଜାଇନ୍ କରାଯାଇଛି ।
ଏହି କାରଖାନାରୁ ୨୦୩୨- ୩୩ ସୁଦ୍ଧା ବାୟୁସେନାକୁ ୧୮୦ଟି ବିମାନ ଯୋଗାଇ ଦିଆଯିବ । ଏଠାରେ ବର୍ଷକୁ ବର୍ତ୍ତମାନ ୮ଟି ବିମାନ ନିର୍ମାଣ କରାଯାଉଛି । ଏହାକୁ ୧୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ବାୟୁସେନା ପାଇଁ ତେଜସ୍ ବିମାନ ନିର୍ମାଣ କରୁଥିବା ହାଲ୍କୁ ଆମେରିକା ଗତ ସେପ୍ଟେମ୍ବର ମାସରେ ଚତୁର୍ଥ ବିମାନ ଇଞ୍ଜିନ ଯୋଗାଇ ଦେଇଥିଲା । ଏହି ଲଢ଼ୁଆ ବିମାନର ବିଶେଷତ୍ୱ ଏହି କି ଯେ ଏହାର ଡେଣାର ୯ଟି ସ୍ଥାନରେ ମିସାଇଲ ନିୟୋଜିତ ହୋଇପାରିବ । ରିପୋର୍ଟ ଅନୁସାରେ ପ୍ରତି ତେଜସ୍ ମାର୍କ-୧ ଏର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା । ଏହାର ଘଣ୍ଟା ପ୍ରତି ବେଗ ୨୨୦୫ କି.ମି. ଅର୍ଥାତ ଶବ୍ଦଠାରୁ ଦୁଇଗୁଣ ଅଧିକ । ଏହାର ଲମ୍ବ ୧୩ ମିଟରରୁ ଅଧିକ ହୋଇଥିଲା ବେଳେ ଏହା ୬୫୦୦ କି.ଗ୍ରା ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି ଯୁଦ୍ଧବିମାନ ନିର୍ମାଣରେ ଦେଶର ୫୦୦ରୁ ଅଧିକ ଘରୋଇ ସଂସ୍ଥା ସାମିଲ ହୋଇଛନ୍ତି ।