ଲକ୍ଷ୍ନୌ ୧୬/୦୬: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଇସ୍ରୋ ପକ୍ଷରୁ ରବିବାର ପ୍ରଥମଥର ପାଇଁ ଏକ ରକେଟ ପରୀକ୍ଷଣ କରାଯାଇଛି । ଜିଲ୍ଲାର ତମକୁହିରାଜ ତହସିଲ ଅନ୍ତର୍ଗତ ଏପି ବନ୍ଧ ଜଙ୍ଗଲପଟି ଗାଁ ନିକଟରେ ଅପରାହ୍ନ ୫ଟା ୧୪ ମିନିଟ୍ ୩୩ ସେକେଣ୍ଡରେ ରକେଟଟି ଉଡାଣ କରିଥିଲା । ଏହା ୧.୧ କି.ମି. ସଫଳତାର ସହ ଯାତ୍ରା କରିଥିଲା । ଟେକ୍ ଥ୍ରଷ୍ଟ ଇଣ୍ଡିଆ ଲିମିଟେଡ କମ୍ପାନିର ସହଯୋଗରେ ଇସ୍ରୋ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା ।
ଇସ୍ରୋର ବୈଜ୍ଞାନିକ ଅଭିଷେକ ସିଂହଙ୍କ ସୂଚନା ଅନୁସାରେ ରକେଟଟି ୧.୧ କି.ମି ଉପରକୁ ଉଠିବା ପରେ ଏକ ଛୋଟ ଉପଗ୍ରହ ବାହାରକୁ ଆସିଥିଲା । ଏହା ୫ ମିଟର ତଳକୁ ଖସିବା ପରେ ସେଥିରେ ଲାଗିଥିବା ପାରାଚ୍ୟୁଟ ସକ୍ରିୟ ହେବା ସହ ଉପଗ୍ରହଟିକୁ ୪୦୦ ମିଟର ତଳକୁ ଆଣିଥିଲା । ରକେଟ ମଧ୍ୟ ପାରାଚ୍ୟୁଟ ସହାୟତାରେ ଧିରେ ଧିରେ ପୃଥିବୀ ପୃଷ୍ଠକୁ ଆସିଥିଲା । ଏହାର ଓଜନ ୧୫ କିଗ୍ରା ଥିଲା ।
ଏଥିରେ ୨.୨୬ କି.ଗ୍ରା ଇନ୍ଧନ ବ୍ୟବହାର କରାଯାଇଥିଲା । ପ୍ରକ୍ଷେପଣ ସମୟରେ ୨.୬ ସେକେଣ୍ଡ ପର୍ଯ୍ୟନ୍ତ ଏହି ଇନ୍ଧନ ଜଳିଥିଲା ଏବଂ ଏହି ସମୟ ଭିତରେ ରକେଟଟି ଉପଗ୍ରହକୁ ନେଇ ଆକାଶକୁ ଉଠିଥିଲା । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଏଠାରେ ବଡଧରଣର ପରୀକ୍ଷା କରାଯିବ । ଏହି ସମୟରେ ୯୦୦ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଉପଗ୍ରହର ପରୀକ୍ଷଣ କରାଯିବ ।
ଗତ ଫେବ୍ରୁଆରୀ ମାସରେ ଇସ୍ରୋର ଏକ ଟିମ୍ କୁଶୀନଗର ଗସ୍ତ କରିବା ପରେ ରକେଟ ପରୀକ୍ଷା ଲାଗି ଏହି ସ୍ଥାନକୁ ବାଛିଥିଲେ ।