ପାଟନା,୧୦/୧୧; ବିହାର ରାଜଧାନୀ ପାଟନାର ଦାନାପୁରରେ ବଡ଼ ଦୁର୍ଘଟଣା ଘଟିଛି । ରାତିରେ ଶୋଇଥିବା ବେଳେ ଘର ଛାତ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୩ ନାବାଳକଙ୍କ ସମେତ ୫ ଜଣ ଆଖି ବୁଜିଛନ୍ତି । ବାପା, ମାଆ ଓ ୩ ପିଲାଙ୍କର ଅକାଳ ବିୟୋଗ ହୋଇଛି । ଇନ୍ଦିରା ଆବାସ ଯୋଜନାରେ ହୋଇଥିଲା ଘର । ମୃତ୍ୟୁ କେମିତି କେତେବେଳେ ଆସେ କାହାକୁ ବି ଜଣାନଥାଏ । ହସଖୁସିରେ ପରିବାର ରାତିରେ ଖାଇପିଇ ଶୋଇଲେ ହେଲେ ଆଉ କେବେ ଆଖି ଖୋଲିବେ ନାହିଁ ବୋଲି କିଏ ବା ଜାଣିଥିଲା ।

ଦାନାପୁର ମାନସ ନୂଆ ୪୨ ପଟ୍ଟି ଗାଁରେ ଅଘଟଣ ଘଟିଛି । ଛାତ ଭୁଶୁଡ଼ି ବାପା, ମାଆ ସମେତ ୩ ପିଲାଙ୍କର ମୃତ୍ୟୁ ହୋଇଛି । ସବୁଠୁ ଦୁଃଖର କଥା ହେଉଛି ହସଖୁସିର ପରିବାର ନିଶ୍ଚିହ୍ନ ହୋଇ ଯାଇଛି । ପଞ୍ଚାୟତ ମୁଖିଆ ବକିଲ ରାଓ କହିଛନ୍ତି କି, ଏକ ଭୟଙ୍କର ଶବ୍ଦ ଶୁଣାଯାଇଥିଲା । ଆଖପାଖର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦେଖିଥିଲେ କି ଘରର ଛାଡ ଭୁଶୁଡ଼ି ପଡିଛି । ପରିବାର ଖାଇପିଇ ଶୋଇଥିଲେ । ଏହି ସମୟରେ ଅଘଟଣ ଘଟିଛି । ଭଗ୍ନାବଶେଷ ତଳୁ ବହୁ କଷ୍ଟରେ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ବବୁଲ ଖାନର ଘର ଆବାସ ଯୋଜନାରେ କିଛି ବର୍ଷ ତଳେ ତିଆରି ହୋଇଥିଲା । ଘରର କାନ୍ଥ ଓ ଛାତରେ ଫାଟ ଆସିଯାଇଥିଲା ଯାହା ଫଳରେ ଦୁର୍ଘଟଣା ଘଟିଛି ।​​​​​​​

​​​​​​​ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବବୁଲ ଖାନ ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ଆର୍ଥିକ ସମସ୍ୟା ଥିବାରୁ ଘର ମରାମତି କରିପାରିନଥିଲେ । ପୀଡ଼ିତ ପରିବାରକୁ ସହାୟତା ଓ କ୍ଷତିପୂରଣ ଦେବାକୁ ଗାଁ ଲୋକ ପ୍ରଶାସନକୁ ଦାବି କରିଛନ୍ତି । ପ୍ରଶାସନିକ ସ୍ତରରେ ତଦନ୍ତ ଚାଲିଛି ।