ମାଲକାନଗିରି,୧୨/୨ : ଦଲାଲଙ୍କ ଦ୍ୱାରା ବେଆଇନ ଧାନ ଚାଲାଣ ବେଳେ ଜିଲ୍ଲା ଯୋଗାଣ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢାଉ କରି ଧାନ ଜବତ କରିଛି। କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୫ ଶହ କୁଇଣ୍ଟାଲ ଧାନ ଜବତ କରିଛି।

ଜିଲ୍ଲା ଯୋଗାଣ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ କାଲିମେଳା ବ୍ଲକର କେତେକ ସ୍ଥାନରେ ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଧାନ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହେଉଥିବାର ଜାଣି ଚଢାଉ କରିଥିଲେ । ଚଢାଉ ବେଳେ ବଦଲି ପଞ୍ଚାୟତର ଗୋଟିଏ ଘରୋଇ ଗୋଦାମରେ ପ୍ରଶାନ୍ତ ଦେଙ୍କ ଦ୍ଵାରା ପାଖାପାଖି ୨୦୦ କୁଇଣ୍ଟାଲ ରଖିଥିବା ଧାନକୁ ଜବତ କରି ସିଲ୍ କରାଯାଇଥିଲା । ସେହି ଗୋଦାମ ନିକଟରୁ ଗୋଟେ ଟ୍ରକରୁ ୨୦୦ କୁଇଣ୍ଟାଲ ଧାନ ଜବତ କରାଯାଇ ପୋଟେରୁ ପୁଲିସ ଫାଣ୍ଡିରେ ଜମା ଦିଆଯାଇଛି। ତାହା ସହିତ ଗୋଦାମ ମାଲିକ, ଦଲାଲ ଓ ଅନ୍ୟାନ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାନ୍ୟମକୋଣ୍ଡା ଅଞ୍ଚଳରୁ ଗୋଟିଏ ଟ୍ରାକ୍ଟରରେ ପାଖପାଖି ୪୦ କୁଇଣ୍ଟାଲ ଧାନ ଏବଂ ଗୋମ୍ପାକୋଣ୍ଡା ଅଞ୍ଚଳରୁ ୨ ଟି ପିକଅପ୍ ଭ୍ୟାନରେ ପାଖପାଖି ୮୦ କୁଇଣ୍ଟାଲ ଧାନ ଥାଇ ଜବତ କରାଯାଇଅଛି । ଏ ସମସ୍ତ ଗାଡିକୁ କାଲିମେଳା ଥାନାରେ ଡ୍ରାଇଭର ସହ ଅଟକ ରଖାଯାଇଅଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ୬୮ ଗୋଟି ମଣ୍ଡି ଅଧିନସ୍ଥ ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀମାନଙ୍କର ପ୍ରକୃତ ଧାନର ପରିମାଣ ଯାଞ୍ଚ କରାଯାଉଅଛି । ଏହି ଜବତ ହୋଇଥିବା ଧାନ ଯେଉଁ ଚାଷୀମାନଙ୍କ ଠାରେ ଧାନ ମହଜୁଦ ନାହିଁ ସେମାନଙ୍କ ଘରେ ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଗଛିତ କରାଯାଇ ପରେ ପରେ ମଣ୍ଡିରେ ବିକ୍ରି କରାଯାଇଥାନ୍ତା । ସମ୍ପୃକ୍ତ ଅସାଧୁ ଧାନ ବେପାରୀ ଓ ଗାଡି ମାଲିକଙ୍କ ବିରୋଧରେ ଥାନା ରେ ଅଭିଯୋଗ ହୋଇଛି । ତେଣୁକରି ଏହିଭଳି ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ଯେପରି ଧାନର କିଛି ବି ସ୍ଥାନାନ୍ତରଣ ନ ହୁଏ , ସେଥିପ୍ରତି ଜିଲ୍ଲାପାଳ,ମାଲକାନଗିରି ଓ ଆରକ୍ଷୀ ଅଧିକ୍ଷକ, ମାଲକାନଗିରି ସମସ୍ତ ପୋଲିସ ବାହିନୀଙ୍କୁ ଦିନ ରାତି ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରାଯାଇଥିବା ତନଖି ଫାଟକ ମାନଙ୍କରେ ମଧ୍ୟ ଯାଞ୍ଚ କଡାକଡି କରାଯାଇଛି । ଏହି ଚଢାଉ ମଣ୍ଡି ରେ ଧାନ ବିକ୍ରି ସରିବା ପର୍ଯ୍ୟନ୍ତ ଜାରି ରହିବ । ଉପଯୁକ୍ତ ଚାଷୀମାନଙ୍କ ଠାରୁ ସଠିକ ସମୟ ମଧ୍ୟରେ ଧାନ କ୍ରୟ କରାଯିବ । ଏଥିରେ ଉପଯୁକ୍ତ ଚାଷୀ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି।