ନୂଆଦିଲ୍ଲୀ, ୬।୩: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ଜିଲ୍ଲାରେ ବୁଧବାର ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ଚିକିତ୍ସା ପାଇଁ ଗୁରୁତର ଆହତଙ୍କୁ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାଲ୍ ପୋଲିସ ଷ୍ଟେସନ ହାଉସ୍ ଅଫିସର ବହାୱାଲ ଖାନ ପିଣ୍ଡରାନି ଏହି ବିସ୍ଫୋରଣ ଘଟିଥିବା ସୂଚନା ଦେଇଛନ୍ତି । ନାଲ୍ ବଜାରରେ ଏକ ବାଇକରେ ଲାଗିଥିବା ଆଇଇଡି ଦ୍ୱାରା ଯୋଜନାବଦ୍ଧ ଭାବେ ଏହି ବିସ୍ଫୋରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆଖାପାଖ ଅଞ୍ଚଳ ଯାଞ୍ଚ କରୁଛନ୍ତି । ଅନ୍ୟପଟେ ପାକିସ୍ତାନର କିଛି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମଧ୍ୟ ସାମନାକୁ ଆସୁଛି ।

ଏପର୍ଯ୍ୟନ୍ତ ନାଲ୍ ମାର୍କେଟରେ ହୋଇଥିବା ବିସ୍ଫୋରଣରେ ମୋଟ୍ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମୃତଦେହ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ବିସ୍ଫୋରଣ ଫଳରେ ବଜାରରେ ଏକାଧିକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଖୁଜଦାରର ବରିଷ୍ଠ ପୋଲିସ ଅଧିକ୍ଷକ ଜାଭେଦ ଜେହରୀ କହିଛନ୍ତି । ଜାଭେଦ ଜେହରୀ କହିଛନ୍ତି, ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାଲୁଚିସ୍ତାନର ପିଶିନ ଅଞ୍ଚଳରେ ଆଉ ଏକ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇବା ସମ୍ଭବପର ହେଲା । ଖବର ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଘଟଣାରେ ସାମିଲ ଥିବା ସମସ୍ତ ଆତଙ୍କବାଦୀ ବୁଧବାର ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲେ । ଗିରଫ ହେବା ପରେ ତାଙ୍କର ସମସ୍ତ ଯୋଜନା ପଣ୍ଡ ହେଲା । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଖୁଜଦାରରେ ହୋଇଥିବା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି । ସେ ଆହତମାନଙ୍କ ପାଇଁ ଉତ୍ତମ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବୁଗତି ଆହୁରି କହିଛନ୍ତି ଯେ, ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ଶାନ୍ତି ବିରୋଧୀଙ୍କ ଘୃଣ୍ୟ ଯୋଜନାକୁ ପଣ୍ଡ କରାଯିବ । ଏହି ଆକ୍ରମଣରେ ଯିଏ ବି ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କହିରଖୁ କି, ଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ବେଲୁଚିସ୍ତାନ ଏଭଳି ହିଂସାର ସମ୍ମୁଖୀନ ହୋଇଆସୁଛି । ଯାହା ଫଳରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଯାଉଛି ।