ଭୁବନେଶ୍ଵର : ଆଉ ସତ କହୁନି ଏଆଇ। ମଣିଷଙ୍କ ପରି କରୁଛି ଚାପୁଲୁସି। ୟୁଜରଙ୍କ ମନକୁ ଛୁଇଁଲା ଭଳି କଥା କହୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ପୂର୍ବରୁ ଯାହା ପଚାରିଲେ ଏଆଇ ସଠିକ୍ ଓ ନିଷ୍ପକ୍ଷ ଉତ୍ତର ଦେଉଥିଲା। ହେଲେ ଏବେ ତାହା ଭୁଲ୍ ପ୍ରମାଣିତ ହୋଇଛି। ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି। ଷ୍ଟେନଫୋର୍ଡ ବିଶ୍ଵବିଦ୍ୟାଳୟ ଏବଂ କାର୍ନେଗି ମ୍ୟାଲନ ବିଶ୍ଵବିଦ୍ୟାଳୟର ମିଳିତ ଅଧ୍ୟୟନରେ ଏହା ଜଣାପଡ଼ିଛି।
ଏଆଇର ବ୍ୟବହାରକୁ ନେଇ ସୋସିଆଲ ସାଇକୋଫ୍ୟାନ୍ସି ଅଧ୍ୟୟନ କରାଯାଇଥିଲା। ଓପନ୍ ଏଆଇ, ଆନ୍ଥ୍ରୋପିକ୍, ଗୁଗଲ, ମେଟା ଏବଂ ମିଷ୍ଟ୍ରାଲ ଏହି ଅଧ୍ୟୟନରେ ସାମିଲ ଥିଲେ। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏଆଇ ୟୁଜରଙ୍କୁ ସତ କହିବା ବଦଳରେ ୟୁଜରଙ୍କୁ ଭଲ ଲାଗିବା ଭଳି ଉତ୍ତର ଦେଉଛି। ମଣିଷଙ୍କ ବ୍ୟବହାର ଉପରେ ଏହାର ପ୍ରଭାବ ପଡ଼ୁଛି। ବହୁ ୟୁଜର ଏବେ ନିଜ ନୈତିକତାକୁ ଦୃଷ୍ଟି ନଦେଇ ଏଆଇ ଉପରେ ନିଷ୍ପତ୍ତି ନେବାକୁ ଛାଡ଼ି ଦେଉଛନ୍ତି। ଏହାଦ୍ଵାରା ଉକ୍ତ ୟୁଜର ନିଜର ଭୁଲ୍ ସ୍ଵୀକାର ନକରି ନଜକୁ ଠିକ୍ ବୋଲି ଭାବୁଛି।
୧୬୦୪ ଜଣ ୟୁଜରଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ଅଧିକାଂଶ ୟୁଜରଙ୍କୁ ଏଆଇ ଚାପୁଲୁସି କଲା ଭଳି ଉତ୍ତର ଦେଇଥିଲା। ଏହାଦ୍ଵାରା ଉକ୍ତ ୟୁଜର ମଧ୍ୟ ପ୍ରଭାବିତ ହୋଇଥିଲେ। ଯେଉଁ ଲୋକଙ୍କ ହଁ ରେ ଏଆଇ ହଁ ମିଶାଇଲା ସେହି ବ୍ୟକ୍ତି ନିଜ ଭୁଲକୁ ଆଉ ସ୍ଵୀକାର କଲା ନାହିଁ। ଏଆଇ ଉପରେ ଭରସା କଲା। ତେବେ ଏହାଦ୍ଵାରା ଏଆଇ ଓ ମଣିଷ ଭିତରେ ଏକ ମିଛ ଚକ୍ର ତିଆରି ହେବ। ଯାହା ମଣିଷର ପ୍ରବୃତ୍ତିକୁ ପ୍ରଭାବିତ କରିବ। ଏହାର ପରିଣାମ ଆଗକୁ ଭୟଙ୍କର ହେବ।