ନୂଆଦିଲ୍ଲୀ: ଫେବ୍ରୁଆରୀ, ୨୦୨୪ରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ୍‌ ବଣ୍ଡକୁ ରଦ୍ଦ କରିଦେବା ପରେ ଏବେ ପ୍ରୁଡେଣ୍ଟ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟକୁ କର୍ପୋରେସନ୍‌ ଡୋନେସନ୍‌ର ବର୍ଷା ହେଉଛି । ୨୦୨୩-୨୪ରେ ଟ୍ରଷ୍ଟ ମୋଟ ୧୦୭୫.୭ କୋଟି ଟଙ୍କା ହାସଲ କରିଛି । ସେଥିମଧ୍ୟରୁ ତିନି ଚତୁର୍ଥାଂଶ ରାଶି ଫେବ୍ରୁଆରୀ ୧୬, ୨୦୨୪ ଏବଂ ମାର୍ଚ୍ଚ ୩୧, ୨୦୨୪ ମଧ୍ୟରେ ଟ୍ରଷ୍ଟକୁ ଆସିଛି ।  ପ୍ରୁଡେଣ୍ଟର ଡୋନେସନ୍‌ ବା ଚାନ୍ଦା ରିପୋର୍ଟ ଅନୁଯାୟୀ, ୨୦୨୨-୨୦୨୩ ମଧ୍ୟରେ ଏହି ରାଶି ୩୬୩ କୋଟି ଟଙ୍କା ଥିଲା । ଯାହା ୨୦୨୩-୨୦୨୪ ମଧ୍ୟରେ ୧୦୭୫.୭ କୋଟି ଟଙ୍କାରେ ପହଞ୍ଚିଛି ।

୧୬ ଫେବ୍ରୁଆରୀ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୪ ମଧ୍ୟରେ ୭୯୭.୧ କୋଟି ଟଙ୍କା ଡୋନେସନ୍‌ ମିଳିଛି । ତେବେ ଇଲେକ୍ଟୋରାଲ୍‌ ବଣ୍ଡ ବନ୍ଦ ହୋଇଯିବା ପରେ କର୍ପୋରେଟ୍‌ ଦୁନିଆ ଚାନ୍ଦା ଦେବା ଲାଗି ଇଲେକ୍ଟୋରାଲ୍‌ ଟ୍ରଷ୍ଟକୁ ବାଛିଥାଇ ପାରନ୍ତି ବୋଲି କୁହାଯାଉଛି । ପ୍ରୁଡେଣ୍ଟକୁ ଚାନ୍ଦା ଦେଉଥିବା ଦାତାଙ୍କ ସଂଖ୍ୟା ୨୦୨୩-୨୪ରେ ବଢ଼ି ୮୩ରେ ପହଞ୍ଚି ଯାଇଛି । ଗତ ଆର୍ଥିକ ବର୍ଷରେ ଏହି  ସଂଖ୍ୟା ପ୍ରାୟ ୨୨ ଥିଲା । ଚାନ୍ଦା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଆର୍ସେଲର ଗ୍ରୁପ୍‌, ଡିଏଲଏଫ ଲିମିଟେଡ୍‌, ମାରୁତି ସୁଜୁକି, ସିପ୍ଲା ଏବଂ ଜିଏମଆର ଗ୍ରୁପ୍‌ ପ୍ରମୁଖ ସାମିଲ ।

 ସେପଟେ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ୧୦୭୫.୭ କୋଟି ଟଙ୍କା ୭ଟି ପାର୍ଟିକୁ ବାଣ୍ଟିଛି । ଏଥିରୁ ସବୁଠାରୁ ଅଧିକ ୭୨୩.୮ କୋଟି ଟଙ୍କା ପାଇଛି ଭାରତୀୟ ଜନତା ପାର୍ଟି (ବିଜେପି) । ଏହା ପରେ କଂଗ୍ରେସକୁ ୧୫୬.୪ କୋଟି ଟଙ୍କା ମିଳିଛି । ସେହିଭଳି ବିଆରଏସ୍‌କୁ ୮୫ କୋଟି, ଓ୍ବାଇଏସଆର କଂଗ୍ରେସକୁ ୭୨.୫ କୋଟି, ଟିଡିପିକୁ ୩୩ କୋଟି ଏବଂ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।  

ପ୍ରୁଡେଣ୍ଟ ଟ୍ରଷ୍ଟ ବ୍ୟତୀତ ଅନ୍ୟ ଟ୍ରଷ୍ଟ ମଧ୍ୟ ରାଜନୈତିକ ଦଳଙ୍କୁ ଟଙ୍କା ବାଣ୍ଟିଛନ୍ତି । ଟ୍ରାୟମ୍ଫ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ବିଜେପି ୧୨୭.୫ କୋଟି ଟଙ୍କା ଦେଇଥିବା ବେଳେ ଡିଏମକେ ୫ କୋଟି ଟଙ୍କା ଦେଇଛି । ସେହଭିଳି ଜୟଭାରତ ଟ୍ରଷ୍ଟ ବିଜେପିକୁ ୫ କୋଟି, ଡିଏମକେକୁ ୩ କୋଟି ଏବଂ ଏଆଇଏଡିଏମକେକୁ ୧ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି ।