ଜୟପୁର,୧୧/୧୧: ରଣ୍ଡାପାଲ୍ଲୀ ପଞ୍ଚାୟତର ରାଣୀଗଡ । ପାହାଡ ଉପରେ ରହିଛି ଏ ଗାଁ । ନିକଟରେ ଥିବା ଏକ ପଥରରେ ରହିଛି ପ୍ରଭୁ ଶ୍ରୀରାମଙ୍କ ପାଦଚିହ୍ନ । ପ୍ରଭୁ  ରାମଚନ୍ଦ୍ର ଏହି ଅଞ୍ଚଳରେ ରହୁଥିବାରୁ ଗାଁର ନାଁ ରାମଗଡ ଭାବେ ନାମିତ ହୋଇଥାଇପାରେ ବୋଲି କହିଛନ୍ତି ଗ୍ରାମବାସୀ । ପ୍ରତି ତିନି ବର୍ଷରେ ଏଠାରେ ଯାତ୍ରା ହେଉଛି । ଅଥଚ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏ ଗାଁ ।   

ରାମଗଡରେ ରହୁଛନ୍ତି ୬୫ ପରିବାର । ବୈରାଗୀମଠରୁ  ପାହାଡ ଦେଇ ୬ କିମି ଗଲେ ପଡେ ଏହି ଗାଁ । ଗଡ଼ପଦରର  ପିକନିକ ସ୍ପଟ୍‌ ଦେଇ ଆଉ ଏକ ପାହାଡିଆ ରାସ୍ତା ବି ରହିଛି  ଗାଁକୁ । ଏହାର ଦୂରତା ହେଉଛି ୭ କିମି । ଏପର୍ଯ୍ୟନ୍ତ ଗାଁକୁ  ଭଲ ରାସ୍ତାଟିଏ ନାହିଁ । ଚାଲିଚାଲି ପାହାଡିଆ ରାସ୍ତା ଦେଇ  ଯିବାଆସିବା କରିବାକୁ ପଡୁଛି । ଗତବର୍ଷ ମନରେଗାରେ  ମାଟି ରାସ୍ତା ତିଆରି ହୋଇଥିଲା । ବର୍ଷାରେ ତାହା ଧୋଇ  ହୋଇଯାଇଛି । ଗାଁର ୫୦୦ମିଟର ଦୂରରେ ରହିଛି ଏକ ବଡ  ସମତଳ ପଥର । ଏହି ପଥର ଉପରେ ପ୍ରଭୁ ଶ୍ରୀରାମଙ୍କ ପାଦ  ଚିହ୍ନ ଥିବା ଲୋକେ କହୁଛନ୍ତି । ଏହାକୁ ପୂଜା କରାଯାଉଛି । ପ୍ରତି  ତିନିବର୍ଷରେ ଥରେ ଧୁମଧାମରେ ପର୍ବ ପାଳନ କରାଯାଉଛି ।  ଶହଶହ ଲୋକ ଏଠାକୁ ଆସି ପୂଜାର୍ଚ୍ଚନା କରୁଛନ୍ତି । ଗାଁ  ନିକଟରେ ବାଜ୍‌ନି ପଥର ରହିଛି । ଏହି ପଥରରେ ଅନ୍ୟ ଏକ  ପଥର ବାଡେଇଲେ ବାଦ୍ୟଯନ୍ତ୍ର ଭିଳ ଶଦ୍ଦ ବାହାରୁଛି । ଏହି  ଅଞ୍ଚଳ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରୁନି । ପର୍ଯ୍ୟଟନ  ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ସ୍ଥାନର ବିକାଶ ହୋଇପାରନ୍ତା  ବୋଲି କହିଛନ୍ତି ଗ୍ରାମବାସୀ । 

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟି.  ପ୍ରଧାନ କହିଛନ୍ତି, ବିଭାଗର ମାନଦଣ୍ଡରେ ଆସିଲେ ଏହାକୁ  ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କରାଯିବ । ଏ ସମ୍ପର୍କରେ  ତଥ୍ୟ ସଂଗ୍ରହ କରି ବିକାଶ ଲାଗି ଯୋଜନା କରାଯିବ । ରାଜ୍ୟ  ସରକାରଙ୍କୁ ପ୍ରସ୍ତାବ ପଠାଯିବ।