ସୁନ୍ଦରଗଡ଼,୧୧/୧୨: ଆୟୁଷ୍ମାନ ମୁଣ୍ଡା (ଛଦ୍ମନାମ) । ମାତ୍ର ଏକ ବର୍ଷ ବୟସର କଅଁଳ ଶିଶୁ ପୁତ୍ରଟିଏ । ଦୁନିଆକୁ ଚିହ୍ନିବା ଆଗରୁ ବାପମା ଛେଉଣ୍ଡ ହୋଇ ଯାଇଥିଲେ । ରୋଗରେ ବାପା ମାଙ୍କ ମୃତ୍ୟୁ ପରେ ଘରେ କେବଳ ବୃଦ୍ଧା ଜେଜେମାଆ ରହିଥିଲେ । ହେଲେ ବୃଦ୍ଧାବସ୍ଥା ଯୋଗୁ ଶିଶୁପୁତ୍ରର ଲାଳନ ପାଳନ କରିବା ଅବସ୍ଥାରେ ସେ ନ ଥିଲେ । ସେହିଭଳି ରୁପା ଓରାମ (ଛଦ୍ମନାମ) ମାତ୍ର ଦେଢ ବର୍ଷ ବୟସର ଶିଶୁ କନ୍ୟାଟିଏ । ପାରିବାରିକ କଳହରୁ ବାପାଙ୍କ ହାତରେ ମା'ର ଜୀବନ ଯାଇଥିଲା । ହତ୍ୟା ଅଭିଯୋଗରେ ବାପା ଜେଲ ଯିବା ପରେ ଝିଅର ଦେଖାଶୁଣା କରିବାକୁ ଆଉ କେହି ନ ଥିଲେ । ଏଭଳି ଆଉ ଏକ ନବଜାତ ଶିଶୁ କନ୍ୟାଟିଏ । କେହି କୁଆଁରୀ ମାଆ ତାକୁ ଲୋକଲଜ୍ଜା ଭୟରେ ବୁଦାମୂଳେ ଛାଡ଼ି ଚାଲି ଯାଇଥିଲେ ।

ଖାଲି ଯେ ଏହି ତିନି ଶିଶୁ ନୁହନ୍ତି, ସୁନ୍ଦରଗଡ଼ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏପରି ଶତାଧିକ ଶିଶୁ ଉଦ୍ଧାର କରାଯାଇ ଶିଶୁ ସଂରକ୍ଷଣ କେନ୍ଦ୍ରକୁ ପଠାଇ ଦିଆଯାଇଛି । କିନ୍ତୁ ସେମାନଙ୍କ ଭବିଷ୍ୟତ ଗଢ଼ିବା ଓ ବାପାମାଆର ସ୍ନେହ, ଆଦର ପ୍ରଦାନ ପାଇଁ ଆଇନଗତ ଭାବେ ଭାରତୀୟ ଓ ବିଦେଶୀ ଦମ୍ପତି ପୌଷ୍ୟ ସନ୍ତାନ ଭାବେ କୋଳେଇ ନେଇଛନ୍ତି । ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଏହି ଶିଶୁମାନଙ୍କ ଭବିଷ୍ୟତ ଗଠନରେ ଲାଗି ପଡ଼ିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ବିଗତ ୫ ବର୍ଷ ମଧ୍ୟରେ ଏପରି ୧୫୬ଜଣ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରାଯାଇଛି । ୧୩୨ଜଣ ଶିଶୁଙ୍କୁ ଭାରତୀୟ ଦମ୍ପତି ପୋଷ୍ୟ ଗ୍ରହଣ କରିଥିବାବେଳେ ୨୪ଜଣ ଶିଶୁଙ୍କୁ ବିଦେଶୀ ଦମ୍ପତି ଗ୍ରହଣ କରିଛନ୍ତି । ଏଥିରେ ଛେଉଣ୍ଡ, ଅନାଥ, ପରିତ୍ୟକ୍ତ ଓ ହସ୍ତାନ୍ତରିତ ଶିଶୁ ରହିଛନ୍ତି । ବିଦେଶୀ ଦମ୍ପତିଙ୍କ ମଧ୍ୟରେ ଆମେରିକା, ଇଟାଲି, ସ୍ପେନ ଆଦି ବାସିନ୍ଦା ରହିଥିବା ବେଳେ ନିକଟରେ ନ୍ୟୁଜିଲାଣ୍ଡର ଏକ ବିଦେଶୀ ଦମ୍ପତି ଜଣେ ପୋଷ୍ୟ ଶିଶୁ ଗ୍ରହଣ ପାଇଁ ଆବେଦନ କରିଛନ୍ତି । ଯାହାକି ବିଚାରାଧୀନ ରହିଛି । ବିଦେଶୀ ଦମ୍ପତିଙ୍କ ସୁନ୍ଦରଗଡ଼ ଜିଲ୍ଲାର ଏପରି ଶିଶୁଙ୍କ ପ୍ରତି ଅନାବିଳ ପ୍ରେମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ପରିତ୍ୟକ୍ତ ଶିଶୁଙ୍କ ମଧ୍ୟରୁ ୮ଜଣ ଶିଶୁଙ୍କୁ ଭାରତୀୟ ଓ ୨ଜଣ ଶିଶୁଙ୍କୁ ବିଦେଶୀ ଦମ୍ପତି ପୋଷ୍ୟ ଗ୍ରହଣ କରିଛନ୍ତି । ସେହିଭଳି ୧୪ଜଣ ସମର୍ପିତ ଶିଶୁଙ୍କୁ ଭାରତୀୟ ଓ ୩ଜଣ ସମର୍ପିତ ଶିଶୁଙ୍କୁ ବିଦେଶୀ ଦମ୍ପତି ପୋଷ୍ୟ ଗ୍ରହଣ କରିଛନ୍ତି । ୨୦୨୨ ମସିହାରେ ଭାରତୀୟ ଦମ୍ପତି ଜଣେ ଅନାଥ, ୩ଜଣ ପରିତ୍ୟକ୍ତ ଓ ୧୫ଜଣ ସମର୍ପିତ ଶିଶୁଙ୍କୁ କୋଳେଇଛନ୍ତି । ସେହିପରି ଉକ୍ତ ବର୍ଷ ବିଦେଶୀ ଦମ୍ପତି ମଧ୍ୟ ଜଣେ ପରିତ୍ୟକ୍ତ ଓ ୪ ଜଣ ସମର୍ପିତ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ୨୦୨୩ ମସିହାରେ ଭାରତୀୟ ଦମ୍ପତି ଜଣେ ଅନାଥ, ୮ଜଣ ପରିତ୍ୟକ୍ତ ଓ ୧୭ ଜଣ ସମର୍ପିତ ଶିଶୁଙ୍କୁ ଗ୍ରହଣ କରିଥିବା ବେଳେ ଜଣେ ସମର୍ପିତ ଶିଶୁଙ୍କୁ ବିଦେଶୀ ଦମ୍ପତି କୋଳେଇ ନେଇଛନ୍ତି ।

୨୦୨୪ ମସିହାରେ ୩ଜଣ ଅନାଥ, ୨ଜଣ ପରିତ୍ୟକ୍ତ ଓ ୩୦ଜଣ ସମର୍ପିତ ଶିଶୁଙ୍କୁ ଭାରତୀୟ ତଥା ୩ଜଣ ପରିତ୍ୟକ୍ତ ଓ ୪ଜଣ ସମ୍ପର୍ପିତ ଶିଶୁଙ୍କୁ ବିଦେଶୀ ଦମ୍ପତି ଗ୍ରହଣ କରିଛନ୍ତି । ୨୦୨୫ ବର୍ଷରେ ଅଦ୍ୟାବଧି ଭାରତୀୟ ଦମ୍ପତି ୬ଜଣ ପରିତ୍ୟକ୍ତ ଓ ୨୨ଜଣ ସମର୍ପିତ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାବେଳେ ବିଦେଶୀ ଦମ୍ପତି ୨ଜଣ ଅନାଥ, ଜଣେ ପରିତ୍ୟକ୍ତ ଓ ୩ଜଣ ସମର୍ପିତ ଶିଶୁଙ୍କୁ କୋଳେଇଛନ୍ତି । ୩୧ ଜଣ ଶିଶୁଙ୍କୁ ବିଶ୍ରା ସ୍ଥିତ ପୌଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ରରେ ରଖାଯାଇ ଲିଗାଲ ଫ୍ରି, ପୋଷ୍ୟ ଗ୍ରହଣ ଆଦି ନେଇ ଆଇନଗତ ପ୍ରକ୍ରିୟା ଚାଲିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ କୁମାର ଜେନା କହିଛନ୍ତି ।