ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ପାକିସ୍ତାନ ସହିତ ଆଲୋଚନା ହେବ ତେବେ କେବଳ ଆତଙ୍କବାଦ ଏବଂ ପିଓକେ ଉପରେ ହେବ । ଦୁଇ ଦେଶ ମଧ୍ୟରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ଏହା ସହ  ଉଭୟ ଦେଶ କେବଳ ଦ୍ୱିପାକ୍ଷିକ ସ୍ତରରେ ଏହି ମାମଲାର ସମାଧାନ କରିବେ। ଦିଲ୍ଲୀରେ ହଣ୍ଡୁରାସ୍ ଦୂତାବାସର ଉଦଘାଟନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏହା କହିଛନ୍ତି । 




ସେ କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ ବୋଲି ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ପିଏମ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ। ପାକିସ୍ତାନକୁ ଆତଙ୍କବାଦୀ ଭିତ୍ତିଭୂମି ବନ୍ଦ କରିବାକୁ ପଡିବ। ସେମାନେ ଜାଣନ୍ତି କ’ଣ କରିବାକୁ ହେବ। ଆମେ ସେମାନଙ୍କ ସହିତ ଆତଙ୍କବାଦ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। କାଶ୍ମୀର ଉପରେ ଆଲୋଚନା ପାଇଁ ଏକମାତ୍ର ପ୍ରସଙ୍ଗ ହେଉଛି, କାଶ୍ମୀରରେ ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରିବା, ଆମେ ସେହି ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଏସ୍‌ ଜୟଶଙ୍କର କହିଛନ୍ତି ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଆମକୁ ବହୁତ ଅନ୍ତର୍ଜାତୀୟ ସମର୍ଥନ ମିଳିଛି। ଆମେ ଜାତିସଂଘ ସୁରକ୍ଷା ପରିଷଦର ଏକ ପ୍ରସ୍ତାବ ପାଇଥିଲୁ । ଏଥିରେ ଅପରାଧୀମାନଙ୍କୁ ଦାୟୀ କରାଯିବା ଉଚିତ ବୋଲି ଦର୍ଶାଯାଇଥିଲା । ମେ’୭ରେ ଅପରେସନ ସିନ୍ଦୁର ମାଧ୍ୟମରେ ଅପରାଧୀଙ୍କୁ ଦାୟୀ କରାଗଲା । ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତରରେ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଛି ଏବଂ ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।