ଭୁବନେଶ୍ବର, ୨୬/୧୨: ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏଁ କୋରେଇ ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସଞ୍ଚିତାଙ୍କ ଦେହାନ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲଙ୍କ ସମେତ ବହୁ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ରେ କୋରେଇରୁ ବିଧାନସଭାକୁ ନିର୍ବାଚନ ହୋଇଥିଲେ । ପୂର୍ବତନ ବିଧାୟିକା ୧୯୫୮ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଓଡ଼ିଶୀ ନୃତ୍ୟରେ ମଧ୍ୟ ସ୍ନାତକତ୍ତୋର କରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢ଼ି ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ସଞ୍ଚିତା ମହାନ୍ତି ବିଜେପିର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ୨୦୦୯ ବିଧାନସଭା ନିର୍ବାଚନରେ ସଞ୍ଚିତା ମହାନ୍ତି କୋରେଇରୁ ପୁଣି ଥରେ ଲଢ଼ିଥିଲେ । ହେଲେ ପ୍ରଭାବ ବିସ୍ତାର କରି ପାରିନଥିଲେ । ମାତ୍ର ୬,୧୦୧ ଖଣ୍ଡ ଭୋଟ୍ ପାଇ ୩ୟ ସ୍ଥାନରେ ରହିଥିଲେ ।