ନୂଆଦିଲ୍ଲୀ: ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପାକିସ୍ତାନ ସରକାର । ଅକ୍ଟୋବର ୧୮ ପର୍ଯ୍ୟନ୍ତ ସେ ଜେଲ୍‌ରେ କାହାକୁ ଭେଟି ପାରିବେ ନାହିଁ। ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀକୁ ନେଇ ପାକିସ୍ତାନର ପଞ୍ଜାବ ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଅବଧି ମଧ୍ୟରେ ଇମ୍ରାନ ଖାନ ତାଙ୍କ ପତ୍ନୀ କିମ୍ବା ତାଙ୍କ ଓକିଲ କିମ୍ବା ଦଳର କୌଣସି ସଦସ୍ୟଙ୍କୁ ମଧ୍ୟ ଭେଟି ପାରିବେ ନାହିଁ । ତେବେ ସରକାରଙ୍କ ଏହି ପ୍ରତିବନ୍ଧକକୁ ନେଇ ଇମ୍ରାନ ଖାନଙ୍କ ପାର୍ଟି ବିଭିନ୍ନ ସ୍ଥାନରେ ବିରୋଧ କରୁଛି।

ଅକ୍ଟୋବର ୧୫ ଏବଂ ୧୬ ରେ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ନେଇ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକଭି ପିଟିଆଇ ଉପରେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ, ପିଟିଆଇର ଯୋଜନା ସଫଳ ନହେବାକୁ ଆମେ ଚେଷ୍ଟା କରୁଛୁ ।

ପାକିସ୍ତାନର ଜେଲ ଅଧିକାରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୁଶ୍ରା ବିବିଙ୍କୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ରାୱଲପିଣ୍ଡିର ଆଦିଆଲା ଜେଲରେ ସେମାନଙ୍କ ପରିବାର, ଓକିଲ ତଥା ଦଳର ନେତାଙ୍କୁ ଭେଟିବାକୁ ବାରଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱରେ ମିଳିତ ସରକାର ଅଭିଯୋଗ କରିଛନ୍ତି ଯେ ଶିଖର ସମ୍ମିଳନୀକୁ ରୋକିବା ପାଇଁ ଇସଲାମାବାଦରେ ପିଟିଆଇ ବିରୋଧ ପ୍ରଦର୍ଶନ କରୁଛି । ଏସସିଓ ଶିଖର ସମ୍ମିଳନୀରେ ସୁରକ୍ଷା ଯୋଗାଇବା ପାଇଁ ପାକିସ୍ତାନୀ ସେନାକୁ ଡକାଯାଇଛି ।

ପିଟିଆଇ ମୁଖପାତ୍ର କହିଛନ୍ତି ଯେ ଇମ୍ରାନ ଖାନ ଏବଂ ବୁଶ୍ରା ବିବିଙ୍କୁ ଭେଟିବା ଉପରେ  ପ୍ରତିବନ୍ଧକ ହଟାଇବାକୁ ଅନୁରୋଧ କରି ଇମ୍ରାନଙ୍କ ଓକିଲ କୋର୍ଟରେ ଆବେଦନ କରିବେ।