ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚ୍ ଡି ଦେବଗୌଡା ଆଜି (ମଙ୍ଗଳବାର) ସଂକ୍ରମଣ ଯୋଗୁଁ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡରେ ଥିବା ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ହସ୍ପିଟାଲ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି।

ଏନେଇ ଏଚ୍ ଡି ଦେବଗୌଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ଜ୍ୱର ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ଏବେ ସୁସ୍ଥ ହେଉଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ଗ୍ରାମୀଣ ସାଂସଦ ତଥା ଦେବେଗୌଡାଙ୍କ ଜ୍ୱାଇଁ ଡାକ୍ତର ସିଏନ ମଞ୍ଜୁନାଥ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ସେ କହିଛନ୍ତି, ତାଙ୍କୁ ଥଣ୍ଡା ଲାଗିବା ସହିତ ପ୍ରବଳ ଜ୍ୱର ହୋଇଥିଲା, ଯାହା କାରଣରୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଛି। ତାଙ୍କୁ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ଆଇସିୟୁରେ ରହିବାକୁ ପଡ଼ିପାରେ।"

ହସ୍ପିଟାଲ ଅଧିକାରୀ ମାନେ କହିଛନ୍ତି ଯେ ଦେବଗୌଡାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ୯୨ ବର୍ଷୀୟ ଜେଡିଏସ୍ ରାଜ୍ୟସଭା ସଦସ୍ୟ ତାଙ୍କର ବୟସ ବୃଦ୍ଧି ସତ୍ତ୍ୱେ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ସମ୍ପ୍ରତି କହିଛନ୍ତି ଯେ ସେ କର୍ଣ୍ଣାଟକରେ ବିଜେପି-ଜେଡିଏସ୍ ମେଣ୍ଟକୁ କ୍ଷମତାକୁ ଆଣିବାକୁ ନିଶ୍ଚିତ କରିବେ।