କୋଲକାତା: ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍‌ ସନ୍ଦୀପ ଘୋଷ ଏବଂ ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଜାମିନ ମିଳିଛି । ସିୟାଲଦା କୋର୍ଟ ତାଲା ପୋଲିସ ଷ୍ଟେସନ୍‌ର ପୂର୍ବତନ ଆଇଆଇସି ଅଭିଜିତ ମଣ୍ଡଳ ଏବଂ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କୁ ଜାମିନ ଦେଇଛନ୍ତି । ସିବିଆଇ ପୂର୍ବ ନିର୍ଦ୍ଧାରିତ ସମୟ ୯୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରିବାକୁ ଅସମର୍ଥ ହେବାରୁ ଅଭିଜିତ ଏବଂ ସନ୍ଦୀପ ଘୋଷଙ୍କୁ ଆଶ୍ବସ୍ତି ମିଳିଛି । 

ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ  ଅନୁସାରେ, ଚଳିତ ମାସ ଆରମ୍ଭରେ ସିବିଆଇ କୋର୍ଟରେ କହିଥିଲା ଯେ, କଣ୍ଟ୍ରାକ୍ଟ ପାଇବା ଲାଗି ସନ୍ଦୀପ ଘୋଷ ଦୁଇ ଗୋଷ୍ଠୀଙ୍କୁ ସାହାଯ୍ୟ କରିଥିଲେ । ସ୍ବତନ୍ତ୍ର ଅଦାଲତ ସିବିଆଇର ଏହି ଚାର୍ଜସିଟ୍‌କୁ ରେକର୍ଡକୁ ନେଇଥିଲେ ମଧ୍ୟ ମାମଲା ଆଗକୁ ବଢ଼ିପାରି ନଥିଲା । ଏହାର କାରଣ ହେଉଛି , ପଶ୍ଚିମବଙ୍ଗ ସରକାର ସନ୍ଦୀପ ଘୋଷ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମକୋଦ୍ଦମା ଚଳାଇବା ଲାଗି ଅନୁମତି ଦେଇନଥିଲେ ।  

କ’ଣ ଥିଲା ମାମଲା ?

ଅଗଷ୍ଟ ୧୦ରେ ସରକାରୀ ଆରଜି କର କଲେଜ ଓ ହସ୍ବିଟାଲରେ ଜଣେ ଟ୍ରେନି  ଡାକ୍ତରଙ୍କ ମୃତଦେହ ମିଳିବା ପରେ ଗିରଫ ହୋଇଥିଲେ ସନ୍ଦୀପ ଘୋଷ । ୯-୧୦ ତାରିଖ ରାତିରେ ଜଣେ ନାଗରିକ ସ୍ବୟଂସେବକ ସଂଜୟ ରାୟ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ।  ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷ ଗିରଫ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଆର୍ଥିକ ହେରଫେର ମାମଲାରେ ସେ ଛନ୍ଦି ହୋଇଥିଲେ।  ଆରଜିକର ହସ୍ପିଟାଲର ପୂର୍ବତନ ଉପାଧ୍ୟକ୍ଷ ଅଖତର ଅଲୀ ଏହି ମାମଲାରେ ତଦନ୍ତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁରୋଧ କରିଥିଲେ । ଏହା ପରେ ହାଇକୋର୍ଟ ଆର୍ଥିକ ହେରଫେର ମାମଲାରେ ତଦନ୍ତ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।