ନୂଆଦିଲ୍ଲୀ,୧୯।୩: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ(RAW)ର ପୂର୍ବତନ ମୁଖ୍ୟ ଅମରଜିତ୍ ସିଂହ ଦୁଲତ ଦାବି କରିଛନ୍ତି,ଇସ୍ରାଏଲ ଓ ଆମେରିକା ସହ ଚାଲିଥିବା ଯୁଦ୍ଧରେ ଇରାନ ହାରିବନି। ସେ କହିଛନ୍ତି, ଇରାନ ଓ ଭାରତର ସମ୍ପର୍କ ଖୁବ୍ ପୁରୁଣା। ଭାରତ ସବୁବେଳେ ଇରାନ ସହ ଠିଆ ହୋଇ ରହିଛି। ସେ କହିଥିଲେ ଯେ ଏଥର ମଧ୍ୟ ଭାରତ ଇରାନକୁ ସମର୍ଥନ କରିବା ଉଚିତ। ଏହି ବିବାଦ ବହୁତ ପୁରୁଣା ଏବଂ ଗତ ୨୦-୨୫ ବର୍ଷ ଧରି ଚାଲିଛି... ଆମେ ସବୁବେଳେ ଇରାନ ସହିତ ଛିଡ଼ା ହୋଇଛୁ, ଏବଂ ଇରାନ ସବୁବେଳେ ଆମ ସହିତ ଛିଡ଼ା ହୋଇଛି। ତେଣୁ, ଆମକୁ ଇରାନ ସହିତ ଛିଡ଼ା ହେବାକୁ ପଡିବ। ଇରାନ ଏହି ଯୁଦ୍ଧରେ ହାରିବା ନାହିଁ... ଭାରତର ଭୂମିକା ଠିକ୍ ହେବ।

ଅନ୍ୟପକ୍ଷେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଭାରତ ହର୍ମୁଜକୁ ପୁନର୍ବାର ଖୋଲିବା ପାଇଁ ଇରାନ ସହିତ ଆଲୋଚନା କରୁଛି। ଜୟଶଙ୍କର ଫାଇନାନ୍ସିଆଲ୍ ଟାଇମ୍ସ ସହିତ ଏକ ସାକ୍ଷାତକାରରେ ଏହା କହିଛନ୍ତି। ଏହା ସହ ସେ କହିଛନ୍ତି, ଭାରତ ଏବଂ ଇରାନ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି। ଆମର ପାରସ୍ପରିକ କାରବାରର ଇତିହାସ ଅଛି। ଆମେ ଏହି ବିବାଦକୁ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବିବେଚନା କରୁ। ଏହା କେବଳ ଆରମ୍ଭ। ଆମର ସେଠାରେ ଆହୁରି ଅନେକ ଜାହାଜ ଅଛି। ତେଣୁ, ଆଲୋଚନା ଚାଲିଛି।

ଏହା ପୂର୍ବରୁ ୧୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଥିଲେ। ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସିଧାସଳଖ କଥାବାର୍ତ୍ତା ଥିଲା। ଫୋନ୍ କଲ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାମଗ୍ରୀ ଏବଂ ଶକ୍ତିର ସହଜ ପରିବହନ ହେଉଛି ଭାରତର ସବୁଠାରୁ ବଡ଼ ପ୍ରାଥମିକତା।

ଇରାନ ସହିତ ଆମେରିକା ଓ ଇସ୍ରାଏଲ ଭିତରେ ଚାଲିଥିବା ଯୁଦ୍ଧ ତୃତୀୟ ସପ୍ତାହରେ ପହଁଞ୍ଚିଛି। ଏୟାର ଷ୍ଟ୍ରାଇକ୍ରେ ଇରାନର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ଚିଫ୍ ଅଲ୍ଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ପରେ ଇରାନ ଏହାର ପ୍ରତିଶୋଦ ନେବାକୁ ପ୍ରତିଜ୍ଞା କରିଛି। ଟ୍ରମ୍ପ ମଧ୍ୟ ମିଡିଲ ଇଷ୍ଟରେ ହଜାର ହଜାର ଆମେରିକୀୟ ସୈନିକଙ୍କୁ ମୁତୟନ କରିବା ଉପରେ ବିଚାର କରୁଛି। ଫଳରେ ଏହି ଯୁଦ୍ଧ କିଛି ସପ୍ତାହରେ ଶେଷ ହେବାର ସମ୍ଭାବନା କମ୍ ରହିଛି।

ଆହୁରି ପଢନ୍ତୁ :କତାର-ଇରାନ ମଧ୍ୟରେ ବଢ଼ିଲା ତିକ୍ତତା: ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ଇରାନୀ କୂଟନୀତିଜ୍ଞଙ୍କୁ କତାରର ନିର୍ଦ୍ଦେଶ !