ନୂଆଦିଲ୍ଲୀ : ଆସାମରେ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଚାରି ଥରର ବିଜେପି ସାଂସଦ ରାଜେନ ଗୋହେନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଅନ୍ୟ ୧୭ ଜଣ ସଦସ୍ୟଙ୍କ ସହ ଦାଖଲ କରିଛନ୍ତି। ଗୋହେନ ରାଜ୍ୟ ବିଜେପି ସଭାପତି ଦିଲୀପ ସାଇକିଆଙ୍କୁ ଏକ ଚିଠି ଲେଖି ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ସେ ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ଦାୟିତ୍ୱରୁ ତୁରନ୍ତ ଇସ୍ତଫା ଦେଉଛନ୍ତି।

ସୂତ୍ର ଅନୁଯାୟୀ, ଇସ୍ତଫା ଦେଇଥିବା ଅଧିକାଂଶ ସଦସ୍ୟ ଉପର ଏବଂ କେନ୍ଦ୍ରୀୟ ଆସାମର ଅଟନ୍ତି । ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରି ରାଜେନ ଗୋହେନ କହିଛନ୍ତି ଯେ, ସେ ଇସ୍ତଫା ଦେଇଛନ୍ତି କାରଣ ଦଳ "ଆସାମର ଲୋକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ଏବଂ ରାଜ୍ୟ ବାହାର ଲୋକଙ୍କୁ ଥଇଥାନ କରିବାକୁ ଅନୁମତି ଦେବା ସହିତ ସ୍ଥାନୀୟ ସମ୍ପ୍ରଦାୟ ସହିତ ବିଶ୍ୱାସଘାତ କରିଛି।"

ସୂଚନାଥାଉକି, ରାଜେନ ଗୋହେନ ୧୯୯୯ ରୁ ୨୦୧୯ ପର୍ଯ୍ୟନ୍ତ ନାଗାଓଁ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ମଧ୍ୟ ଥିଲେ। ବିଜେପିରେ ଥିବା ସମୟରେ, ସେ ଦଳର ରାଜ୍ୟ ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ପେଶାରେ ଜଣେ ଚା ବଗିଚା ମାଲିକ ମଧ୍ୟ। ତାଙ୍କର ଅନ୍ୟ ଅନେକ କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ଅଛି। ତାଙ୍କ ବିଦାୟ ରାଜ୍ୟରେ ବିଜେପିକୁ କ୍ଷତି ପହଞ୍ଚାଇପାରେ।

ବର୍ତ୍ତମାନ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ସରକାର ଆସାମରେ କ୍ଷମତାରେ ଅଛି। ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ଆସାମରେ ବିଜୟର ହ୍ୟାଟ୍ରିକ୍ ଲକ୍ଷ୍ୟ ରଖିଛି।