ନୂଆଦିଲ୍ଲୀ : ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର। ତାଙ୍କୁ ଏବେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ସେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ବେହୋସ ହୋଇଯାଇଥିଲେ। ଏହା ପରେ, ଡାକ୍ତର ମାନେ ତାଙ୍କୁ ସତର୍କତାମୂଳକ ପଦକ୍ଷେପ ନେବା ଏବଂ MRI କରାଇବାକୁ ପରାମର୍ଶ ଦେଇଛନ୍ତି। ସୂଚନା ମୁତାବକ ଦୁଇଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୦ ତାରିଖରେ ଧନଖର ବାଥରୁମ୍ ବ୍ୟବହାର କରିବା ସମୟରେ ଦୁଇଥର ବେହୋସ ହୋଇଯାଇଥିଲେ। ଆଜି (ସୋମବାର) ସେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ AIIMSରେ ପହଞ୍ଚିଥିଲେ, କିନ୍ତୁ ତାଙ୍କର ବର୍ତ୍ତମାନର ଅବସ୍ଥାକୁ ଦୃଷ୍ଟିରେ ରଖି, ଡାକ୍ତର ମାନେ ତାଙ୍କୁ ତୁରନ୍ତ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନା ଅନୁଯାୟୀ, ଡାକ୍ତର ମାନେ ଜଗଦୀପ ଧନଖରଙ୍କୁ ହସ୍ପିଟାଲରେ ଭର୍ତ୍ତି କରି MRI ଏବଂ ଅନ୍ୟାନ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ଜଗଦୀପ ଧନଖର ପୂର୍ବରୁ ମଧ୍ୟ ସମାନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବା ସମୟରେ, ସେ କଚ୍ଛ ରଣ, ଉତ୍ତରାଖଣ୍ଡ, କେରଳ ଏବଂ ଦିଲ୍ଲୀରେ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଅନେକ ଥର ଅସୁସ୍ଥ ହୋଇପଡିଥିବା ମଧ୍ୟ ନଜର ରହିଛି। ଅତୀତରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଧ୍ୟ ବହୁବାର ଆଲୋଚନା ହୋଇଛି।
କାହିଁକି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା ?
ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ, ଜଗଦୀପ ଧନଖର ଜାନୁଆରୀ ୧୦ ସୋମବାର ଦିନ ଚେକ୍ଅପ୍ ପାଇଁ ଏମ୍ସ ଯାଇଥିଲେ। ଏହି ସମୟରେ ଡାକ୍ତରଙ୍କ ଏକ ଦଳ ତାଙ୍କୁ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ଏବଂ ବିଭିନ୍ନ ପରୀକ୍ଷା କରାଯାଉଛି। ଡାକ୍ତରଙ୍କ ଏକ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି।
୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ…
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ, ଜଗଦୀପ ଧନଖର ଗତ ବର୍ଷ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠିରେ ସେ ଲେଖିଥିଲେ ଯେ, ସେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଡାକ୍ତରଙ୍କ ପରାମର୍ଶ ପାଳନ କରିବା ପାଇଁ ସମ୍ବିଧାନର ଧାରା ୬୭ଏ ଅନୁଯାୟୀ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି।
ଏହା ସହ ପଢନ୍ତୁ : ଅଟକ ରୁଷୀୟ ଜାହାଜରେ ଫସିଛନ୍ତି ହିମାଚଳର ଏହି ଯୁବକ, ଫେବୃଆରୀରେ କେମିତି ହେବ ବିବାହ ? ଫେରାଇ ଆଣିବାକୁ ପିଏମଙ୍କୁ ପରିବାରର ଗୁହାରୀ…