ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ଆତଙ୍କ । ଦକ୍ଷିଣ ଭିଏତନାମର ଚିଡ଼ିଆଖାନାରେ ବାର୍ଡୁ ଫ୍ଲୁ ୪୭ ବାଘଙ୍କ ସମେତ ୩ ସିଂହ ଏବଂ  ଗୋଟିଏ ପାନ୍ଥରର ଜୀବନ  ନେଇଛି । H5N1 ଭୂତାଣୁ ଦ୍ବାରା ସଂକ୍ରମିତ ବାଘ, ସିଂହ ଓ ପାନ୍ଥରର ମୃତ୍ୟୁ ହୋଇଥିବା ନେଇ ଭିଏତନାମର ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଘରୋଇ ସଫାରି ପାର୍କ ଓ ଭୁବନ ଜୋଆଇ ଚିଡ଼ିଆଖାନାରେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ବନ୍ୟପ୍ରାଣୀଙ୍କ ଶବ ବ୍ୟବେଚ୍ଛେଦ ପରେ ସେମାନଙ୍କ ଶରୀରରେ H5N1 ଭୂତାଣୁ ଥିବା ନେଇ ପ୍ରାଣୀ ଚିକିତ୍ସକ ଜାଣିବାକୁ ପାଇଛନ୍ତି । ଏଜୁକେସନ୍‌ ଫର ନେଚର (ଇଏନଭି) ଏବଂ ଏକ ଏନଜିଓ ଅନୁସାରେ ଭିଏତନାମରେ ୨୦୨୩ ସୁଦ୍ଧା ବିଭିନ୍ନ ଚିଡ଼ିଆଖାନରେ ୩୮୫ଟି ବାଘ ଥିଲେ । ସେଥିମଧ୍ୟରୁ ୩୧୦ଟି ବାଘ ୧୬ଟି ଘରୋଇ ଚିଡ଼ିଆଖାନାରେ ଥିଲେ । 

ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ୨୦୨୨ ପରଠାରୁ ମଣିଷ ଶରୀରରେ ଭୂତାଣୁ ସଂକ୍ରମଣ ମାମଲା ବଢ଼ିଛି । ସେହିଭଳି ମଣିଷ ଠାରେ H5N1 ଭୂତାଣୁର ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ସାମାନ୍ୟରୁ ଅତି ବିପଦଜ୍ଜନକ ସ୍ଥିତି ସୃଷ୍ଟି କରୁଛି ଏହି ଭୂତାଣୁ । ଗତ ମାର୍ଚ୍ଚରେ ଭିଏତନାମରେ H5N1 ଭୂତାଣୁ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିଲା । ଏହା ପୂର୍ବରୁ ଥାଇଲାଣ୍ଡରେ ୨୦୦୪ରେ ବାର୍ଡ ଫ୍ଲୁ ଦ୍ବାରା ସଂକ୍ରମିତ ହୋଇ ୧୨ରୁ ଅଧିକ ବାଘଙ୍କ ମୃତ୍ୟୁ ହୋଇଥିଲା ।